ରାଉରକେଲା : ଷ୍ଟେଟବ୍ୟାଙ୍କ ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ ପଣ୍ଡ।। ୟୁଟ୍ୟୁବ ଦେଖି ଚୋରି ଯୋଜନା କରିଥିଲେ।। ଦୁଇ ଅଭିଯୁକ୍ତ ଗିରଫ।

0 508

ରାଉରକେଲା ଛେଣ୍ଡ କଲୋନୀରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମ୍ ଭାଙ୍ଗି ଟଙ୍କା ଚୋରି କରିବା ଉଦ୍ୟମ ପଣ୍ଡ ହୋଇଯାଇଛି। ଚୋରି ଉଦ୍ୟମ କରିବା ଅଭିଯୋଗରେ ଛେଣ୍ଡ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ପୋଲିସ ଚୋରି ଲାଗି ବ୍ୟବହୃତ ଗୋଟିଏ କଟର ମେସିନ , ଶାବଳ , ଚୋରି କ୍ୟାମେରା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ରେଲୱେ କଲୋନୀର କୁନ୍ଦନ ପୋଦାର ଏବଂ ନୟାବଜାର ଅଞ୍ଚଳର ଧିରଜ ମହାକୁଡ଼ ଚାକିରୀ କରିବାକୁ ବିଶାଖାପାଟଣା ଯାଇଥିଲେ। ମାତ୍ର ସେଠାରେ ବେଶୀ କିଛି ଅର୍ଥ କମେଇ ନପାରିବାରୁ ରାଉରକେଲା ଫେରି ଆସିଥିଲେ। କିନ୍ତୁ ଫେରିବା ପୂର୍ବରୁ ଏଟିଏମ୍ ଲୁଟ ର ଯୋଜନା କରିଥିଲେ। ଏହି ଯୋଜନା ୟୁଟ୍ୟୁବ ଦେଖି କରିଥିବା ଜଣାପଡିଛି। ଶୁକ୍ରବାର ୨୧ ତାରିଖ ବିଲମ୍ବିତ ରାତିରେ ଉଭୟ ଅଭିଯୁକ୍ତ ପୂର୍ବ ଯୋଜନା ମୁତାବକ ଛେଣ୍ଡ କଲୋନୀ ଆରଡିଏ ଛକ ନିକଟରେ ପହଞ୍ଚି ଥିଲେ। ସେଠାରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗି ଦେଇଥିଲେ। ଏହି ଚୋରି ଉଦ୍ୟମ କଲାବେଳେ ସମସ୍ତ ରେକର୍ଡ଼ିଂଗ ହାଇଦ୍ରାବାଦ ଷ୍ଟେଟବ୍ୟାଙ୍କ କାର୍ଯ୍ୟାଳୟ ଦେଖି ପାରିଥିଲେ। ସଙ୍ଗେସଙ୍ଗେ ହାଇଦ୍ରାବାଦ ଷ୍ଟେଟବ୍ୟାଙ୍କ ପକ୍ଷରୁ ଚୋରି ବାବଦରେ ଛେଣ୍ଡ ଥାନାକୁ ଜଣାଇ ଦିଆଯାଇଥିଲା। ଛେଣ୍ଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଚୋର ମାନେ ପଳାଇଥିଲେ। ପରେ ସିସିଟିଭି ଫୁଟେଜ କୁ ଆଧାର କରି ପୋଲିସ ରବିବାର ଦିନ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave A Reply

Your email address will not be published.