କୋଭିଡ କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ଦୀପାବଳୀ ରେ ବାଣ ବିକ୍ରି ଏବଂ ଫୁଟାଇବା ଉପରେ କଡା କଟକଣା ଜାରି କରାଯାଇଥିଲା। କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ହଟି ଯାଇଥିବାରୁ ଦୀପାବଳୀ ମନାଇବାକୁ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି। ରାଉରକେଲା ପ୍ରଶାସନ ପକ୍ଷରୁ ସହରରେ ୫ ଟି ସ୍ଥାନରେ ବାଣ ବିକ୍ରି କରିବାକୁ ଅନୁମତି ଦିଆଯାଇଛି। ବାଣ ବିକ୍ରି କରିବାକୁ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ଲାଇସେନ୍ସ ପ୍ରଦାନ କରାଯାଇଛି। ସେହି ଅନୁସାରେ ଆଜିଠାରୁ ସେହି ନିର୍ଦିଷ୍ଟ ସ୍ଥାନ ମାନଙ୍କରେ ବାଣ ଦୋକାନ ଖୋଲା ଯାଇଛି। ପାୱାର ହାଉସ ରୋଡ଼ର ଦୁଇଟି ସ୍ଥାନରେ ବାଣ ଦୋକାନ ଖୋଲିଛି। ପାର୍କିଂ ଅଞ୍ଚଳ ଏବଂ ରିଙ୍ଗ ରୋଡ଼ କଡରେ ଖୋଲାଯାଇଛି ବାଣ ଦୋକାନ ।
ଅନ୍ୟ ପକ୍ଷରେ ଦୀପାବଳୀ ଲାଗି ବଜ଼ାର ରେ ଦୀପ , ସଳିତା , ତେଲ ଆଦି ବିକ୍ରି ଆରମ୍ଭ ହୋଇ ଗଲାଣି। ଗୋଟିଏ ପଟେ ବଜ଼ାରରେ ଦୀପ ବିକ୍ରି ହେଉଥିବା ବେଳେ ଅନ୍ୟପଟେ କାରିଗର ମାନେ ଡିମାଣ୍ଡ ମୁତାବକ ଦୀପ ପ୍ରସ୍ତୁତି ରେ ଲାଗି।ପଡିଛନ୍ତି। ଦୀପାବଳୀ ଲାଗି ସାଜ୍ଜସଜ୍ଜା ର ସାମଗ୍ରୀ ବିକ୍ରି ମଧ୍ୟ ଆରମ୍ଭ ହୋଇଗଲାଣି। ଏହା ସହିତ ସହରରେ କାଳୀ ପୂଜା ଲାଗି ପ୍ରସ୍ତୁତି ମଧ୍ୟ ଚାଲିଛି।