ଆସନ୍ତାକାଲି ସୋମବାର ଦିନ ବିରମିତ୍ରପୁର ବନ୍ଦ ଡାକରା ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡିଛି। ରାସ୍ତାରେ ବଡ଼ ବଡ଼ ଖାଲ ହେବା ସହ ଧୂଳି ଉଡି ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଯାତାୟତ ବାଧାପ୍ରାପ୍ତ ହେବା ସହ ଧୂଳି ଯୋଗୁଁ ପ୍ରଦୂଷଣ ସ୍ତର ବଢି ଯାଇଛି। ବାରମ୍ବାର ଜାତୀୟ ରାଜପଥ ଅଧିକାରୀ ଏବଂ ପ୍ରଶାସନର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ମରାମତି କାମ ଆରମ୍ଭ ହୋଇପାରିନାହିଁ। କୁହା ଯାଉଛି ଯେ ଟେଣ୍ଡେର ପ୍ରକ୍ରିୟା ସରିବା ପରେ ରାସ୍ତା କାମ ହେବ। ବାଧ୍ୟ ହୋଇ ବିରମିତ୍ରପୁର ବିକାଶ ମଞ୍ଚ ଏବଂ ସିଭିଲ ସୋସାଇଟି ପକ୍ଷରୁ ସୋମବାର ଦିନ ବିରମିତ୍ରପୁର ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଲୋକଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ପାନପୋଷ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଥିଲା। ବୈଠକରେ ରାଜପଥ ମରାମତି ବାବଦରେ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ। ଫଳରେ ଆସନ୍ତା କାଲି ବିରମିତ୍ରପୁର ବନ୍ଦ ଡାକରା ଦିଆଯାଇଛି।