ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଗ୍ରାମବାସୀ ମାନେ ବନ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣେଇ ବନଖଣ୍ଡରେ। ପ୍ରାୟ ଦେଢ଼ ମାସ ହେଲା ଏହି ଅଞ୍ଚଳର ବିଭିନ୍ନ ଗ୍ରାମରେ ଦୁଇଟି ଦନ୍ତା ପଶି ଫସଲ ଏବଂ ଘରଦ୍ୱାର ନଷ୍ଟ କରୁଥିଲେ। ଏପରିକି ହାତୀ ଆକ୍ରମଣରେ ଜୀବନ ହାନି ମଧ୍ୟ ଘଟୁଛି। କିଛିଦିନ ହେଲା ହାତୀ ଦୁଇଟି ଅନ୍ୟତ୍ର ପଳାଇଥିଲେ। ଏବେ ପୁଣି ଫେରି ଆସିଛନ୍ତି। ଗତକାଲି ରାତିରେ ହାତୀ ଡେଙ୍ଗେଇଢିପା ଗ୍ରାମରେ ୭ ଟି ଘର ଭାଙ୍ଗି ଦେଇଥିଲେ। ବନ କର୍ମଚାରୀ ମାନେ ହାତୀ ଘଉଡାଇବା ଲାଗି ଗ୍ରାମରେ ପହଞ୍ଚିଥିଲେ। ପୂର୍ବରୁ ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ ମାନେ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ୫ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। ଟ୍ରଙ୍କୁଲାଇଜର ସାହଯ୍ୟରେ ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ହେଉଛି। ହାତୀ ଘଉଡାଇବାକୁ ବରିଷ୍ଠ ବନବିଭାଗ ଅଧିକାରୀଙ୍କ ଘନ ଘନ ବୈଠକ ବସୁଛି।