ସୁନ୍ଦରଗଡ ଜିଲ୍ଲାରେ ନକଲି ଏବଂ ବେଆଇନ ମଦ କାରବାର ଥମିବାର ନାଁ ନେଉନାହିଁ। ବୁଧବାର ଦିନ ରାଉରକେଲା ଅବକାରୀ ବିଭାଗ ପାନପୋଷ ଅଞ୍ଚଳ ରେ ଚଢ଼ାଉ କରି ଏକ ନକଲି ବିଦେଶୀ ମଦ କାରଖାନା ଠାବ କରିଥିଲେ। ବହୁ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହ ମଦ ପ୍ରସ୍ତୁତି ସରଞ୍ଜାମ ଜବତ କରିଥିଲେ। ଗୁରୁବାର ଦିନ ଅବକାରୀ ବିଭାଗ ଏବଂ ବଣେଇ ପୋଲିସ ମିଳିତ ଭାବେ ଚଢ଼ାଉ କରି ବେଆଇନ ମଦ ପ୍ରସ୍ତୁତ ସରଞ୍ଜାମ ନଷ୍ଟ କରିବା ସହ ୨ ହଜାର ୫୦୦ କେଜି ମହୁଲ ଜବତ କରିଥିଲେ। ବଣେଇ ଅଞ୍ଚଳ ରେ ନିୟମିତ ଭାବେ ବେଆଇନ ମଦ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହେଉଛି। ବଣେଇ ଅବକାରୀ ବିଭାଗ ଏବଂ ପୋଲିସ ବିଭିନ୍ନ ସମୟରେ ଚଢ଼ାଉ କରି ନକଲି ମଦ କାରଖାନା ନଷ୍ଟ ମଧ୍ୟ କରୁଛନ୍ତି। ତଥାପି ମଦ ବେପାରୀ ଜଙ୍ଗଲ ମଧ୍ୟରେ ବେଆଇନ ମଦ ପ୍ରସ୍ତୁତି ଜାରି ରଖିଛନ୍ତି। ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବାକୁ ବିଭିନ୍ନ ସ୍ତରରେ ଦାବି ହେଉଛି।