କେନ୍ଦୁଝର : ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟାରେ ୪ ଶିଶୁ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ।। ୧୮ ଦିନରେ ୧୩ ଶିଶୁ ମୃତ।। ଘଟଣାର ତଦନ୍ତ ଦାବି।
କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗତ ୨୪ ଘଣ୍ଟାରେ ୪ ଜଣ ଶିଶୁଙ୍କ ମୃତ୍ୟୁ କୁ ନେଇ ବିଭିନ୍ନ ମହଲରେ ଚିନ୍ତା ବ୍ୟକ୍ତ କରାଯାଇଛି। ଏହାଛଡା ଚିକିତ୍ସାଳୟରେ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ରବିବାର ଦିନ ଏ ଡି ଏମ୍ ଓ କିଶୋର ପୃଷ୍ଟି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ଏବେ ପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ଘଟିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେବା ପରେ ଡାକ୍ତର ପୃଷ୍ଟି ପ୍ରତିକ୍ରିୟା ଦେଇ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏହା ସହିତ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ମୋଟ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ତେବେ ଏହା ପଛରେ ଡାକ୍ତରଙ୍କ ଅବହେଳା ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି। ଏହି ଘଟଣାର ତଦନ୍ତ କରାଯିବା ନେଇ ସେ କହିଛନ୍ତି।
ଅନ୍ୟପକ୍ଷରେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ଅଭିଭାବକ ଓ ସଂପର୍କୀୟ।
ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଉପଜିଲ୍ଲାପାଳ ପହଞ୍ଚିଛନ୍ତି। ପୁଲିସ୍ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ଗତ ୨୪ ଘଣ୍ଟାରେ ମୃତ ଶିଶୁ ମାନଙ୍କ ଅଭିଭାବକଙ୍କ ସହ ଅତିରିକ୍ତ ଏସ୍ପି ଓ ଉପଜିଲ୍ଲାପାଳ ସେମାନଙ୍କ ସହିତ ଆଲୋଚନା କରୁଛନ୍ତି। ଅନ୍ୟପକ୍ଷରେ କାହିଁକି ଏତେ ସଂଖ୍ୟକ ପିଲାଙ୍କର ଗତ ୧୮ ଦିନରେ ମୃତ୍ୟୁ ଘଟିଛି ସେ ନେଇ କୌଣସି ନିର୍ଦିଷ୍ଟ କାରଣ ଜଣା ପଡ଼ିନାହିଁ।