ଲାଞ୍ଜିଗଡ଼ ବ୍ଲକର ପାଞ୍ଚଗୋଟି ଛତୁଆ ପ୍ରସ୍ତୁତକାରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କଠାରୁ ୧୧ ଲକ୍ଷ ୫୯ ହଜାର ଟଙ୍କାର ବିଲ୍ କରାଇଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରା ପଡିଛନ୍ତି ଲାଞ୍ଜିଗଡ଼ ସିଡିପିଓ ମୀନା କୁମାରୀ ପାତ୍ର । ଭିଜିଲାନ୍ସ ଜୟପୁର ଓ ଭବାନୀପାଟଣାରୁ ଆସିଥିବା ଏକ ସ୍ବତନ୍ତ୍ର ଭିଜିଲାନ୍ସ ଟିମ ସୋମବାର ଅପରାହ୍ନରେ ତାଙ୍କ କାର୍ଯ୍ୟାଳୟ ପରିସରରୁ ତାଙ୍କୁ ଲାଞ୍ଚ ନେବା ବେଳେ ୮୦ ହଜାର ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଛନ୍ତି ।
ସୂଚନା ଅନୁଯାୟୀ , ଲାଞ୍ଜିଗଡ଼ ବ୍ଲକରେ ଛତୁଆ ପ୍ରସ୍ତୁତ କରୁଥିବା ପାଞ୍ଚଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ବିଲ୍ ବାବଦକୁ ୧୧ ଲକ୍ଷ ୫୯ ହଜାର ଟଙ୍କାର ବିଲ୍ କରାଇଦେବାକୁ ବାରମ୍ବାର ନିବେଦନ କରି ବିଫଳ ହେଉଥିଲେ । ସି ଡି ପି ଓ ଏଥିଲାଗି ଲାଞ୍ଚ ଦାବି କରୁଥିବାରୁ ସଂପ୍ରୁକ୍ତ ମହିଳା ଗୋଷ୍ଠୀର ସଦସ୍ୟାମାନେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଅପରାହ୍ନରେ ତାଙ୍କ କାର୍ଯ୍ୟାଳୟରେ ୮୦ ହଜାର ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଛନ୍ତି । ଭବାନୀପାଟଣା ସ୍ଥିତ ତାଙ୍କ ବାସଭବନ ରେ ମଧ୍ୟ ଚଢ଼ାଉ କରାଯାଇଛି ।