ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଏବଂ ମଣିଷ ମଧ୍ୟରେ ଲଢେ଼ଇ ଜାରି ରହିଛି। କେତେବେଳେ ହାତୀ ମଣିଷକୁ ମାରୁଛି ତ ଆଉ କେତେବେଳେ ମଣିଷ ହାତୀକୁ ମାରୁଛି। ଏହି କ୍ରମ ଏବେବି ଜାରି ରହିଛି।
ଗତକାଲି ଲହୁଣୀପଡା ଥାନା ଅନ୍ତର୍ଗତ ତନ୍ତଲା ଗ୍ରାମରେ ହାତୀ ଅଜୟ ଦେହୁରୀ ନାମକ ଜଣେ ଗ୍ରାମବାସୀଙ୍କୁ କଚାଡି ମାରି ଦେଇଥିଲା। ତେବେ ମଣିଷ ଆକ୍ରମଣରୁ ମଧ୍ୟ ହାତୀ ବାଦ ପଡୁନି। ଗତ ୧୦ ତାରିଖରେ ରାଉରକେଲା ବନଖଣ୍ଡ ବାଙ୍କୀ ଜଙ୍ଗଲ ନିକଟରେ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ୬ ଜଣ ଗ୍ରାମ ବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହାତୀ ଫସଲ ନଷ୍ଟ କରୁଥିବାରୁ କେତେକ ଗ୍ରାମବାସୀ ମାନେ ଯୋଜନାବଦ୍ଧ ଭାବେ ହାତୀକୁ ହତ୍ୟା କରିଥିବା ରାଉରକେଲା ଡି ଏଫ ଓ କହିଛନ୍ତି। ହାତୀକୁ ବର୍ଚ୍ଛା ଦ୍ୱାରା ହତ୍ୟା କରାଯାଇଛି ଏବଂ ହତ୍ୟା ରେ ବ୍ୟବହୃତ ବର୍ଚ୍ଛା ମଧ୍ୟ ଜବତ ହୋଇଛି ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ହାତୀଟି ସେମାନଙ୍କୁ ଆକ୍ରମଣ କରିଥିଲା ଏବଂ ଜୀବନ ବଞ୍ଚାଇବା କ୍ରମରେ ହାତୀଟି ବର୍ଚ୍ଛା ଆଘାତ ରେ ମୃତ୍ୟୁ ବରଣ କରିଥିବା ଅଭିଯୁକ୍ତ କହିଛନ୍ତି।
ଏବେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଣିଷ ଏବଂ ହାତୀ ମଧ୍ୟରେ ଲଢେ଼ଇ ଜାରି ରହିଛି। ହାତୀ ଖାଦ୍ୟ ଅନ୍ୱେଷଣ ରେ ଗ୍ରାମକୁ ଆସୁଛି। ବେଳେ ବେଳେ ହାତୀ ଆକ୍ରମଣରେ ଗ୍ରାମବାସୀ ମୃତ୍ୟ ବରଣ କରୁଛନ୍ତି । ଅନ୍ୟ କେତେବେଳେ ଲୋକଙ୍କ ଆକ୍ରମଣରେ ହାତୀ ମଧ୍ୟ ମରୁଛି। ଏ ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ଖୋଜି ବାହାର କରିବାକୁ ପଡିବ ।