ସୁନ୍ଦରଗଡ ଜିଲ୍ଲାରେ ବିଶ୍ୱ ଫିଜିଓଥେରାପି ଦିବସ ପାଳିତ।। ଫିଜିଓଥେରାପି ସେବା ଜିଲ୍ଲାର ଆଉ ୪ଟି ସ୍ଵସ୍ଥ କେନ୍ଦ୍ରକୁ ସମ୍ପ୍ରସାରିତ।

0 237

ସୁନ୍ଦରଗଡ଼/ରାଉରକେଲା, ୮ ସେପ୍ଟେମ୍ବର ୨୦୨୨: ବିଶ୍ୱ ଫିଜିଓଥେରାପି ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରାଯାଇଛି। ଜିଲ୍ଲାରେ ଭିନ୍ନକ୍ଷମଙ୍କ ଚିକିତ୍ସା ଏବଂ ପୁନର୍ବାସ ଲାଗି ଚାଲିଥିବା ‘ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର’କୁ ଆଉ ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରକୁ ସଂପ୍ରସାରଣ କରାଯାଇଛି।

ଜିଲ୍ଲାର ମାଝାପଡ଼ା, ସବଡେଗା ଓ ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ପାନପୋଷସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏହି ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇଛି।

ପାନପୋଷସ୍ଥିତ କେନ୍ଦ୍ରକୁ ରାଉରକେଲାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଉଦଘାଟନ କରିଥିଲେ। ଏହି ଅବସରରେ ସେ ଚିକିତ୍ସା କେନ୍ଦ୍ରରେ ରହିଥିବା ବିଭିନ୍ନ ଥେରାପି ଉପକରଣ ବୁଲି ଦେଖିବା ସହ ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେହିପରି ମାଝାପଡ଼ା ଓ ସବଡେଗାସ୍ଥିତ କେନ୍ଦ୍ରକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଏବଂ ବିଶ୍ରାସ୍ଥିତ ଚିକିତ୍ସା କେନ୍ଦ୍ରକୁ ସ୍ଥାନୀୟ ବିଡିଓ ଅଂଶୁମାନ ଦାସ ଉଦଘାଟନ କରିଥିଲେ।

ପୂର୍ବରୁ ଜିଲ୍ଲାରେ ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ରହିଥିଲା। ଏବେ ଆଉ ୪ଟି କେନ୍ଦ୍ର ଯୋଡ଼ି ହେବା ପରେ ଏହି ସଂଖ୍ୟା ୧୪ରେ ପହଞ୍ଚିଛି। ଏହି ଚିକିତ୍ସା କେନ୍ଦ୍ରକୁ ଭିନ୍ନକ୍ଷମ ବ୍ୟକ୍ତି ଏବଂ ଜରାଗ୍ରସ୍ତ ବରିଷ୍ଠ ନାଗରିକଙ୍କୁ ମାଗଣାରେ ନେବା ଆଣିବା ଲାଗି ଇ-ଆମ୍ବୁଲାନ୍ସ ସେବାର ମଧ୍ୟ ବ୍ୟବସ୍ଥା କରାଯାଇଛି।

‘‘ଶାରୀରିକ ଅକ୍ଷମତା ଭୋଗୁଥିବା ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର ଆଧୁନିକ ଥେରାପି ଦେଇ ସେମାନଙ୍କୁ ପୁଣିଥରେ ସକ୍ଷମ କରିବା କ୍ଷେତ୍ରରେ ଜିଲ୍ଲାରେ ରହିଥିବା ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶେଷକରି ଗ୍ରାମାଞ୍ଚଳର ଲୋକଙ୍କୁ ସମନ୍ୱିତ ଥେରାପି ସେବା ଯୋଗାଇଦେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଏହାକୁ ଲାଗୁ କରାଯାଉଛି। ପର୍ଯ୍ୟାୟକ୍ରମେ ଜିଲ୍ଲାର ଆଉ ୬ଟି ସ୍ଥାନରେ ଏହି କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ରହିଛି’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ମାଗଣାରେ ବିଭିନ୍ନ ପ୍ରକାରର ଥେରାପି ସେବା ଯୋଗାଇ ଦିଆଯାଉଛି। ଏହି କେନ୍ଦ୍ରରେ ଶିଶୁମାନଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର କକ୍ଷ ରହିଛି। ଏଥିପାଇଁ ତାଲିମପ୍ରାପ୍ତ ଥେରାପିଷ୍ଟମାନଙ୍କୁ ନିଯୁକ୍ତ କରାଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଏହି ଅତ୍ୟାଧୁନିକ ସେବା ମିଳୁଥିବାରୁ ଗ୍ରାମାଞ୍ଚଳର ରୋଗୀମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି।

ବିଭିନ୍ନ ଜନ୍ମଗତ ସମସ୍ୟା ତଥା କୌଣସି ରୋଗଜନିତ, ଦୁର୍ଘଟଣାଜନିତ, ସ୍ନାୟୁଗତ ଏବଂ ଜୀବନଶୈଳୀ ଆଦି ସମସ୍ୟା ଭୋଗୁଥିବା ବ୍ୟକ୍ତି ତଥା ଭିନ୍ନକ୍ଷମଙ୍କ ଚିକିତ୍ସା ଓ ପୁନର୍ବାସ କ୍ଷେତ୍ରରେ ଏହି ଅତ୍ୟାଧୁନିକ ଫିଜିଓଥେରାପି ସେବା ଗୁରୁତ୍ୱପୂର୍ଣ୍ଣ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରକୁ (ଏଆରସି) ବିଭିନ୍ନ ସେବା ପାଇଁ ଆସୁଥିବା ହିତାଧିକାରୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କ ସୁବିଧା ଲାଗି ଏକ ୧୦ ଶଯ୍ୟା ବିଶିଷ୍ଟ ରହଣୀସ୍ଥଳ ଉଦଘାଟନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହାର ଉଦଘାଟନ କରିଥିଲେ।

ସେହିପରି ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଥିବା ଥେରାପ୍ୟୁଟିକ୍ ସେଣ୍ଟର ବା ଭୌତିକ ଚିକିତ୍ସା ସେବା କେନ୍ଦ୍ରଠାରେ ବିଶ୍ଵ ଫିଜିଓଥେରାପି ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ‘ଗଣ୍ଠି ବାତ ପାଇଁ ବ୍ୟାୟାମ’ ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ରଙ୍କ ସହିତ ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ, ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ପଙ୍କଜ କୁମାର ପରିଡ଼ା, ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସତ୍ୟଜିତ ରାୟ, ସୁନ୍ଦରଗଡ଼ ଏଆରସିର ନୋଡାଲ ଅଫିସର ଡାକ୍ତର ସିଏମ ଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ।

ଏହାସହ ଜିଲ୍ଲାରେ ଥିବା ୧୦ଟି ସମନ୍ୱିତ ଭୌତିକ ଚିକିତ୍ସା କେନ୍ଦ୍ରଠାରେ ମଧ୍ୟ ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଇଥିଲା। ଗଣ୍ଠି ବାତ ରୋଗରୁ ଉପଶମ ପାଇବା ଲାଗି ରହିଥିବା ବିଭିନ୍ନ ଚିକିତ୍ସା ସେବା ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଯାଇଥିଲା।

ସୁନ୍ଦରଗଡ଼ ଏଆରସିଠାରେ ରହଣୀସ୍ଥଳ ଏବଂ ୪ଟି ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଏଡିୟୁପିଏଚଓ ଡାକ୍ତର ପୁଷ୍ପାମିତ୍ର ସାହୁ, ମାଝାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ରାଜେଶ ହେମ୍ବ୍ରମ, ସବଡେଗା ବିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ମେଡିକାଲ ଅଫିସର ଡାକ୍ତର ସଂଗ୍ରାମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ଫିଜିଓଥେରାପି ଦିବସ ଅବସରରେ ସୁନ୍ଦରଗଡ଼ ସହରାଞ୍ଚଳରେ କାର୍ଯ୍ୟରତ ଆଶା କର୍ମୀମାନଙ୍କ ପକ୍ଷରୁ ସ୍ଥାନୀୟ ଜିଲ୍ଲା କ୍ରୀଡ଼ା ସଂସଦ ଭବନଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସୁନ୍ଦରଗଡ଼ ଏସପି ସାଗରିକା ନାଥ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଏଥିରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.