ରାଉରକେଲାରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଇ-ଭି ଚାର୍ଜିଂ ଷ୍ଟେସନ୍, ମହତାବ ରୋଡ୍ରେ ଚାଲିଛି ନିର୍ମାଣ କାର୍ଯ୍ୟ।
ରାଉରକେଲା, ୭ ଅଗଷ୍ଟ (ସତ୍ୟାନ୍ୟୁଜ): ରାଉରକେଲା ସହରରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାରକାରୀଙ୍କ ପାଇଁ ଆସୁଛି ବଡ଼ ଖୁସି ଖବର। ସହର ମଧ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଅତ୍ୟାଧୁନିକ ଇ-ଭି (Electric Vehicle) ଚାର୍ଜିଂ ଷ୍ଟେସନ୍। ଏଥିପାଇଁ ମହତାବ ରୋଡ୍ ସ୍ଥିତ ଫୁଡ୍ କୋର୍ଟ ନିକଟରେ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି।
ଆଜି ପୂର୍ବାହ୍ନରେ ରାଉରକେଲା ମହାନଗର ନିଗମ (RMC) କମିଶନର ଦିନା ଦସ୍ତଗିର୍ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ନିର୍ମାଣ କାମକୁ ଆହୁରି ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସମ୍ପ୍ରତି ରାଉରକେଲାରେ ଇଲେକ୍ଟ୍ରିକ୍ ଦୁଇଚକିଆ ଓ ଚାରିଚକିଆ ଯାନର ସଂଖ୍ୟା କ୍ରମାଗତ ଭାବେ ବଢ଼ୁଥିବା ବେଳେ ସହର ମଧ୍ୟରେ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ଇ-ଭି ଚାର୍ଜିଂ ସୁବିଧାର ଅଭାବ ଦେଖାଯାଉଥିଲା। ଫଳରେ ଇଲେକ୍ଟ୍ରିକ୍ ଯାନ ଚାଳକମାନେ ଚାର୍ଜିଂ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।
ଏହି ନୂତନ ଇ-ଭି ଚାର୍ଜିଂ ଷ୍ଟେସନ୍ କାର୍ଯ୍ୟକ୍ଷମ ହେଲେ ସହରର ଇଲେକ୍ଟ୍ରିକ୍ ଯାନ ଚାଳକମାନେ ସହଜରେ ଚାର୍ଜିଂ ସୁବିଧା ପାଇପାରିବେ। ସେହିସହିତ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି।
ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଚାଲିଥିବା ବେଳେ ଖୁବ୍ ଶୀଘ୍ର ଏହି ଚାର୍ଜିଂ ଷ୍ଟେସନ୍ ସାଧାରଣ ଲୋକଙ୍କ ପାଇଁ ଉଦ୍ଘାଟିତ ହେବ ବୋଲି ଆଶା କରାଯାଉଛି।