ରାଉରକେଲା ସହର ପରିକ୍ରମା କଲା ଅହିଂସା ରଥ।। ଲୋକ ନୃତ୍ୟ ଏବଂ ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ଲୋକମାନେ ରଥକୁ କଲେ ସ୍ୱାଗତ।

0 251

ରାଉରକେଲା, ୫ ସେପ୍ଟେମ୍ବର ୨୦୨୨: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମହାତ୍ମା ଗାନ୍ଧିଙ୍କ ଅହିଂସା ନୀତି ଏବଂ ଜନସାଧାରଣଙ୍କ ଭିତରେ ଦେଶପ୍ରେମର ଜାଗରଣ ସୃଷ୍ଟି କରିବା ପାଇଁ ‘ଅହିଂସା ରଥ’ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକ ପରିକ୍ରମା କରିଛି। ସୋମବାର ଦିନ ଏହି ରଥ ରାଉରକେଲା ସହର ସହିତ ଲହୁଣୀପଡ଼ା, କୋଇଡ଼ା ଏବଂ ବିଶ୍ରା ବ୍ଲକର ବିଭିନ୍ନ ସ୍ଥାନକୁ ଯାଇ ଲୋକମାନଙ୍କ ଆଗରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ସମ୍ପର୍କିତ ବାର୍ତ୍ତା ପ୍ରଦାନ କରିଛି।

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ‘ଅହିଂସା ରଥ’ ସମଗ୍ର ରାଜ୍ୟ ପରିକ୍ରମା କରୁଛି। ଗତ ଅଗଷ୍ଟ ୧୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ରଥ ଶୁଭାରମ୍ଭ କରିବା ପରେ ପର୍ଯ୍ୟାୟକ୍ରମେ ଏହା ରାଜ୍ୟର ସମସ୍ତ ଜିଲ୍ଲାକୁ ଯାଉଛି। ଗତ ୨ ତାରିଖ ଦିନ ଦୁଇଟି ଅହିଂସା ରଥ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବେଶ କରିଥିଲା। ବିଭିନ୍ନ ବ୍ଲକରେ ଏହି ରଥକୁ ସ୍ଥାନୀୟ ଲୋକନୃତ୍ୟ, ସଂକୀର୍ତ୍ତନ ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯାଇଥିଲା।

ସୋମବାର ଦିନ ଏହି ଅହିଂସା ରଥ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ପହଞ୍ଚିଥିଲା। ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀମାନେ ଏହି ରଥକୁ ସ୍ୱାଗତ କରିଥିଲେ। ଏହାପରେ ରଥ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ, ଛେଣ୍ଡସ୍ଥିତ ବୀର ସୁରେନ୍ଦ୍ର ସାଏ ମାର୍କେଟ କମ୍ପ୍ଲେକ୍ସ ଏବଂ କୋଏଲ ନଗରର ଏନଏସି ମାର୍କେଟ ପର୍ଯ୍ୟନ୍ତ ଆସିଥିଲା। ସ୍ଥାନୀୟ ଲୋକନୃତ୍ୟ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଏହି ଅବସରରେ ରାଉରକେଲାର ‘ସମ୍ପର୍କ’ ଅନୁଷ୍ଠାନର କଳାକାରମାନଙ୍କ ପକ୍ଷରୁ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇ ସ୍ୱାଧୀନତା ସଂଗ୍ରାମ, ଗାନ୍ଧିଜୀଙ୍କ ଅହିଂସା ନୀତି ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ଲାଗି ବାର୍ତ୍ତା ଦିଆଯାଇଥିଲା। ରାଉରକେଲାର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବଂଶୀଧର ଦ୍ୱିବେଦୀଙ୍କ ପତ୍ନୀ ଦମୟନ୍ତୀ ଦ୍ୱିବେଦୀ ଓ ପୁଅଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ସୀତାଦେବୀ ମାଝି, ଡକ୍ଟର ଗୌରବମୟ ପ୍ରଧାନ, ରୋନିତ କୁମାର, ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ରାଉରକେଲା ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନର ସୁଶାନ୍ତ କୁମାର ବେଉରା, ଆସିଷ୍ଟାଣ୍ଟ କମିଶନର ନରେନ୍ଦ୍ର ପ୍ରଧାନ ଏବଂ ରାଉରକେଲା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ପ୍ରମୁଖ ଉପସ୍ଥିତ ରହି ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ।

ଏହି ରଥରେ ଏଲଇଡି ସ୍କ୍ରିନ ରହିଛି। ଏହା ମାଧ୍ୟମରେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନର କାହାଣୀ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଉଛି।

Leave A Reply

Your email address will not be published.