ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳନ।। ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟ ରେ ଆୟୋଜିତ।

0 441

ରାଜଗାଙ୍ଗପୁର ସ୍ଥିତ ସରବତୀ ଦେବୀ ମହିଳା ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼. ନୂତନ ଖମାରୀ ଯୋଗ ଦେଇଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ ଚୌଧୁରୀ ଙ୍କ ପ୍ରେରଣାକ୍ରମେ ଉକ୍ତ ସଭା ଆୟୋଜିତ ହୋଇଥିଲା l ଅଧ୍ୟକ୍ଷ, ମୁଖ୍ୟ ଅତିଥି,ବିଭାଗୀୟ ମୁଖ୍ୟ ତଥା ଅନ୍ୟାନ୍ୟ ଅଧ୍ୟାପିକା ଠାକୁରଙ୍କ ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମଟିର ଶୁଭାରମ୍ଭ ହୋଇଥିଲା। ଭାରତୀୟ ସଂସ୍କୃତି ଅନୁଯାୟୀ ଉପସ୍ଥିତ ଅତିଥି ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଫୁଲ ଚନ୍ଦନ , ବ୍ୟାଜ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସତ୍କାର କରାଯାଇଥିଲା । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ଼. ସରିତା କିଣ୍ଡୋ ଅତିଥି ପରିଚୟ ପ୍ରଦାନ କରିବା ସହ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ କାବ୍ୟ କୃତି ଉପରେ ଆଲୋକପାତ କରିଥିଲେ। ବିଭାଗୀୟ ଛାତ୍ରୀମାନେ କବି ଗଙ୍ଗାଧର ମେହେରଙ୍କ ବ୍ୟକ୍ତିତ୍ଵ ଓ କାବ୍ୟ – କବିତା ଉପରେ ପ୍ରସ୍ତୁତ ବକ୍ତବ୍ୟ ଉପସ୍ଥାପନ କରିବା ସହିତ କବିଙ୍କ ବିରଚିତ ଭକ୍ତି କବିତା – ବିଶ୍ଵ ଦେଖ ମଧୁମୟ,ଏବଂ ବିଶ୍ଵ ଜୀବନ ହେ ତୁମକୁ କରୁଣା ସିନ୍ଧୁ କବିତାକୁ ସୁନ୍ଦର ଭାବରେ ଗାନ କରିଥିଲେ । ମୁଖ୍ୟ ଅତିଥି ନୂତନ ଖମାରୀ କବି ଗଙ୍ଗାଧର ମେହେରଙ୍କ ବ୍ୟକ୍ତିତ୍ଵରେ ଥିବା ମହନୀୟ ଗୁଣାବଳୀ ପ୍ରତି ଛାତ୍ରୀଙ୍କୁ ଅନୁପ୍ରାଣିତ ହେବାକୁ ଉଦବୋଧନ ଦେଇଥିଲେ। ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ସପନ୍ କୁମାର ପଣ୍ଡା ମହଦୋୟ ଉକ୍ତ ସଭାରେ କବି ଗଙ୍ଗାଧର ମେହେରଙ୍କ ସ୍ମରଣ କରି ତାଙ୍କର କାଳଜୟୀ କୃତି ତପସ୍ଵିନୀ କାବ୍ୟର ୪ର୍ଥ ସର୍ଗ “ମଙ୍ଗଳେ ଉଇଁଲେ ଉଷା” କବିତାକୁ ସମବେତ ଭାବରେ ଗାନ କରିଥିଲେ।
ଉପାଧ୍ୟକ୍ଷ କୌଶଲ୍ୟା ଅଗ୍ରୱାଲ କବି ଗଙ୍ଗାଧର ମେହେରଙ୍କ କାବ୍ୟରେ ତତ୍କାଳୀନ ସମାଜରେ ନାରୀର ଯେଉଁ ସମ୍ମାନ ଥିଲା ତାହା ତପସ୍ଵିନୀ କାବ୍ୟରେ କିପରି ପ୍ରତିଫଳିତ ହୋଇଛି ତାହା ଉପରେ ଆଲୋକପାତ କରିଥିଲେ l ଅଧ୍ୟକ୍ଷ କବି ଗଙ୍ଗାଧର ମେହେର ଜୟନ୍ତୀ ଉପଲକ୍ଷେ କବିଙ୍କ ସାହିତ୍ୟକୃତିରେ ଥିବା ଆଦର୍ଶ, ବିଭୂଚେତନ ତଥା ତ୍ୟାଗର କଥା କହିଥିଲେ। ୨୭ ଅଗଷ୍ଟ ଦିନ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯଗିତା ଯଥା – ଚିତ୍ରାଙ୍କନ, ବକ୍ତୃତା, କବିତା ଗାନ,ଏବଂ କୂଟପ୍ରଶ୍ନ(କୁଇଜ୍)ରେ କୃତିତ୍ୱ ଛାତ୍ରୀଙ୍କୁ ଅଧ୍ୟକ୍ଷ,ଅତିଥି ହସ୍ତରୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ବିଭାଗୀୟ ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ବିଭିନ୍ନ ସମ୍ବଲପୁରୀ ଗୀତାର ତାଳେ ତାଳେ ଛାତ୍ରୀମାନଙ୍କର ମନଲୋଭା ନୃତ୍ୟ ପରିବେଶକୁ ରଙ୍ଗାରଙ୍ଗମୟ କରିଥିଲେ। ପରିଶେଷରେ ଓଡ଼ିଆ ଅଧ୍ୟାପିକା ରଜନୀ ଓରାମ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିବା ପରେ ସଭା କାର୍ଯ୍ୟ ସମାପନ ହୋଇଥିଲା ।

Leave A Reply

Your email address will not be published.