ୟୁଜିସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆବଶ୍ୟକ ସ୍ୱୀକୃତି ନଥାଇ ଦେଶର ବିଭିନ୍ନ ରାଜ୍ୟରେ କେତେକ ଶିକ୍ଷାନୁଷ୍ଠାନ ନିଜକୁ ବିଶ୍ୱବିଦ୍ୟାଳୟ ବୋଲି ଦାବି କରୁଛନ୍ତି। ଏହି ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ ରାଉରକେଲା ଶକ୍ତିନଗର ପାଣିଟାଙ୍କି ରୋଡସ୍ଥିତ ଅନ୍ନପୂର୍ଣ୍ଣା ଭବନରେ ଚାଲିଥିବା ନବଭାରତ ଶିକ୍ଷା ପରିଷଦର ନାଁ ରହିଛି।
ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ କରାଯାଇଛି। ଏହି ତାଲିକା ଜାରି କରିଛି UGC। ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଚାଲୁଛି। ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ ରାଉରକେଲାର ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜର ଉତ୍ତର ଓଡ଼ିଶା କୃଷି ଓ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ଅଛି। ଦିଲ୍ଲୀରେ ସର୍ବାଧିକ ୮ଟି ନକଲି ବିଶ୍ୱବିଦ୍ୟାଳୟ ଚାଲୁଥିବା ବେଳେ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଓ ଆନ୍ଧ୍ରରେ ଗୋଟିଏ ଲେଖାଏଁ ନକଲି ବିଶ୍ୱବିଦ୍ୟାଳୟ ଚାଲିଛି। ପଶ୍ଚିମବଙ୍ଗରେ ୨ଟି ଓ ୟୁପିରେ ୪ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ ହୋଇଛି । ତାଲିକାଭୁକ୍ତ ନକଲି ବିଶ୍ୱବିଦ୍ୟାଳୟ କୌଣସି ଡିଗ୍ରୀ ପ୍ରଦାନ କରିପାରିବେ ନାହିଁ । ଛାତ୍ରଛାତ୍ରୀ ଆଡମିଶନ କଲେ UGC ଦାୟୀ ରହିବ ନାହିଁ । UGC ସଚିବ ପ୍ରଫେସର ରଜନୀଶ ଜୈନ ଏହି ସୂଚନା ଦେଇଛନ୍ତି ।
ୟୁଜିସିର ସଚିବ ପ୍ରଫେସର ରଜନିସ୍ ଜୈନଙ୍କ ସ୍ୱାକ୍ଷରରେ ଅଗଷ୍ଟ ୨୫ ତାରିଖରେ ପ୍ରକାଶିତ ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ୱବିଦ୍ୟାଳୟ ଭାବେ ସ୍ୱୀକୃତ ନୁହନ୍ତି। ତେଣୁ କୌଣସି ଡିଗ୍ରୀ ପ୍ରଦାନ ଲାଗି ଏମାନଙ୍କର ଆଇନଗତ ଯୋଗ୍ୟତା ନାହିଁ।