ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ସୁନ୍ଦରଗଡ ଜିଲ୍ଲା ଗସ୍ତ।। ମିଶନଶକ୍ତି , ମହିଳା ଏବଂ ଶିଶୁ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା।

0 297

ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି। ଏସଏଚଜି ମା’ଙ୍କୁ ବିଭିନ୍ନ ପ୍ରକଳ୍ପ ସହ ଯୋଡ଼ାଯାଇ ସେମାନଙ୍କ ଜୀବିକା ସୁନିଶ୍ଚିତ କରାଯାଉଥିବା ଜାଣି ସେ ସନ୍ତୋଷ ପ୍ରକାଶ କରିଥିଲେ।
ଏହି ଗସ୍ତ ଅବସରରେ ମନ୍ତ୍ରୀ ସୁନ୍ଦରଗଡ଼ର ରଙ୍ଗାଢ଼ିପାଠାରେ ଥିବା ସ୍ପିରୁଲିନା ଚିକି ପ୍ରସ୍ତୁତି କେନ୍ଦ୍ର ବୁଲି ଦେଖିଥିଲେ। ଚିକି ପ୍ରସ୍ତୁତିରେ ନିୟୋଜିତ ଏସଏଚଜି ମା’ମାନଙ୍କୁ ସେମାନଙ୍କ ଜୀବିକା ବିଷୟରେ ସେ ପଚାରି ବୁଝିଥିଲେ। ଏହାପରେ ସେ ମହୁଲପାଲିସ୍ଥିତ ୫୦୦୦ କ୍ଷମତାର ବ୍ରୁଡ଼ିଂ ଆଣ୍ଡ ଗ୍ରୋଇଂ ୟୁନିଟ୍ ପରିଦର୍ଶନ କରିଥିଲେ।
ଜିଲ୍ଲାରେ ଆନୁଷ୍ଠାନିକ ପ୍ରସବକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମା’ଗୃହ କରାଯାଇଛି। ମନ୍ତ୍ରୀ ଟାଙ୍ଗରପାଲି ବ୍ଲକର ବନ୍ଧପାଲି ମା’ଗୃହକୁ ଯାଇ ସେଠାରେ ଗର୍ଭବତୀ ଓ ପ୍ରସୁତି ମା’ମାନଙ୍କୁ ମିଳୁଥିବା ସେବା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ବେଲସରାସ୍ଥିତ ଜୟଶଙ୍କର ସେବାଶ୍ରମକୁ ମଧ୍ୟ ମନ୍ତ୍ରୀ ଯାଇଥିଲେ।
ସୁନ୍ଦରଗଡ଼ ଜିଲ୍ଲାରେ ପିଲାମାନଙ୍କ ପାଇଁ ବାଲା ମଡେଲ ଢାଞ୍ଚାରେ ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଇଛି। ମାନ୍ୟବର ମନ୍ତ୍ରୀ ଭବାନୀପୁର, ଜବରଦସ୍ତପଡା ଓ କିରେଇ ଅଙ୍ଗନବାଡ଼ି କେନ୍ଦ୍ର ବୁଲି ଦେଖିବା ସହ ପିଲାମାନଙ୍କ ପୋଷଣ, ପରିଚ୍ଛନ୍ନତା ଆଦି ବିଷୟରେ ଅଙ୍ଗନବାଡ଼ି କର୍ମୀଙ୍କ ସହ କଥା ହୋଇଥିଲେ।
ମାନ୍ୟବର ମନ୍ତ୍ରୀ ସୁନ୍ଦରଗଡ଼ଠାରେ ଏକ ବୈଠକରେ ଯୋଗଦେଇ ମିଶନଶକ୍ତି ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଚାଲିଥିବା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସୁନ୍ଦରଗଡ଼ ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଆଇସିଡିଏସ୍ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ, ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗ ଦେଇଥିଲେ।
ମାନ୍ୟବର ମନ୍ତ୍ରୀଙ୍କ ଗସ୍ତ ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଉପାଧ୍ୟକ୍ଷ କମଲ ଲାକ୍ରା, ଜିଲ୍ଲା ସମାଜ ମଙ୍ଗ ଅଧିକାରୀ ପ୍ରବାସିନୀ ଚକ୍ର, ଡିଏମଏଫ ସିଇଓ ରିତା ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.