ଅବସର ପ୍ରାପ୍ତ ରେଳବାଇ କର୍ମଚାରୀଙ୍କ ଠାରୁ ୧୫ ଲକ୍ଷ ୫୬ ହଜାର ଟଙ୍କା ଅନଲାଇନ ଠକେଇ ମାମଲାରେ ରାଉରକେଲା ପୋଲିସ ଆଉ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ରାଉରକେଲା ସାଇବର ପୋଲିସ ଝାରଖଣ୍ଡ ର ଜାମତାରା ଗ୍ରାମରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହି ମାମଲାରେ ସାଇବର ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
୨୦୨୧ ମସିହା ନଭେମ୍ବର ମାସରେ ଏହି ଅପରାଧ ଘଟିଥିଲା। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନାର ଗଙ୍ଗାଜଳ ଗ୍ରାମର ନଳିନ୍ଦ୍ର ଟପ୍ପୋ ରେଳବାଇ ଚାକିରିରୁ ଅବସର ନେବା ପରେ ୩୫ ଲକ୍ଷ ଟଙ୍କା ପାଇଥିଲେ। ଏହି ଟଙ୍କା ସେ ଷ୍ଟେଟ ବ୍ୟାଙ୍କ ରେ ରଖିଥିଲେ। ସେହି ସମୟରେ ତାଙ୍କୁ ଏକ ଫୋନ କଲ ଆସିଥିଲା। ଅନଲାଇନ ଶପିଙ୍ଗ ରେ ତାଙ୍କର ୨୦ ହଜାର ଟଙ୍କା କଟି ଯାଇଥିବା କୁହାଯାଇଥିଲା। ମାତ୍ର ନଳିନ୍ଦ୍ର ଏହି ଶପିଙ୍ଗ କରି ନଥିବା କହିଥିଲେ। ଦୃବୃତ୍ତ ମାନେ ଟଙ୍କା ଫେରାଇଦେବା ବାହାନାରେ ଏକ
ଓ ଟି ପି ଦେଇ ୧୫ ଲକ୍ଷ ୫୬ ହଜାର ଟଙ୍କା ଟ୍ରାନ୍ସଫର କରିନେଇଥିଲେ । ଏବେ ସୁଦ୍ଧା ଏହି ମାମଲାରେ ୭ ଜଣ ଗିରଫ ହୋଇଥିବା ବେଳେ ତଦନ୍ତ ଜାରି ରହିଥିବା ପୋଲିସ କହିଛି।