ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହି ଅବସରରେ ସାମାଜକୁ ଏକତାର ବାର୍ତ୍ତା ପ୍ରଦାନ ଦେବାକୁ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ହିନ୍ଦୁ, ଶିଖ୍, ଇସଲାମ, ଖ୍ରୀଷ୍ଟିୟାନ ଧର୍ମ ତରଫରୁ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତି ବିଶେଷମାନେ ନିଜ ନିଜ ଧର୍ମଗ୍ରନ୍ଥ ପାଠ କରିଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ମଧ୍ୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅନିଲ କୁମାର କେରକେଟା ଓ ବରିଷ୍ଠ ଅଧ୍ୟାପିକା ସୁସ୍ମିତା ଭୋଇଙ୍କ ଉପସ୍ଥିତିରେ ଗାନ୍ଧୀବାଦ ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଏଥିରେ ଭାଗନେଇ ଗାନ୍ଧୀଙ୍କ ଜୀବନୀ ଉପରେ ଆଲୋକପତ କରିଥିଲେ।
କୋଭିଡ୍ ମହାମାରୀ ପାଇଁ ସାମୟିକ ଭାବେ ସ୍ଥଗିତ ଥିବା ‘ସୁନ୍ଦରଗଡ଼, ବହି ପଢ଼’ ଅଭିଯାନ ପୁଣି ଥରେ ଆରମ୍ଭ କରାଯାଇଛି। ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟର ପାଠାଗାରରେ ଏହି ଅଭିଯାନରେ ଜିଲ୍ଲାର କେତେକ ଛାତ୍ରଛାତ୍ରୀ ଏବଂ ଶିକ୍ଷାବିତ୍ ଯୋଡ଼ି ହୋଇଥିଲେ। ପାଠାଗାରରେ ବସି ଗାନ୍ଧୀଙ୍କ ଉପରେ ଆଧାରିତ ପୁସ୍ତକ ପଢ଼ିଥିଲେ।
ଜିଲ୍ଲାର ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ଲୋକଙ୍କୁ ବହି ପଢ଼ିବା ପ୍ରତି ଆକର୍ଷିତ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସୁନ୍ଦରଗଡ଼, ବହି ପଢ଼’ ଭଳି ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଅଭିଯାନ ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଠାଗାର ନିର୍ମାଣ କରାଯାଉଛି।