ରାଜଗାଙ୍ଗପୁର ଡାଲମିଆଁ ସିମେଣ୍ଟ ଲିମିଟେଡ଼ କୁ ୧୭ ଲକ୍ଷ ୪୦ ହଜାର ଟଙ୍କା ଜରିମାନା।। ପରିବେଶ ଆଇନ ଉଲଂଘନ ଅଭିଯୋଗରେ ଏନ ଜି ଟି ର ଜରିମାନା।
ପରିବେଶ ନିୟମର ଖୋଲା ଉଲ୍ଲଂଘନ କରୁଥିବା ରାଜଗାଙ୍ଗପୁରସ୍ଥ ଡାଲମିଆ ସିମେଣ୍ଟ୍ ଭାରତ ଲିମିଟେଡ୍ କୁ ବଡ ଝଟକା। ପରିବେଶ ନିୟମ ଅବମାନନନା କରିବା ଅଭିଯୋଗରେ ଏବେ ଡାଲିମିଆ ସିମେଣ୍ଟ୍କୁ ମହଙ୍ଗା ପଡ଼ିଛି। ଏନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି) ରେ ଅଭିଯୋଗ ହୋଇଥିଲା। ମାମଲାର ଶୁଣାଣୀ କରି ନିୟମ ଉଲ୍ଲଂଘନ କ୍ଷତିପୂରଣ ବାବଦକୁ ଡାଲମିଆ ସିମେଣ୍ଟ୍କୁ ୧୭ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଏନ୍ଜିଟି। କର୍ତ୍ତୃପକ୍ଷ ମାସକ ଭିତରେ ଜରିମାନା ଅର୍ଥ ରାଜ୍ୟ ପ୍ରଦୂଷଣ ବୋର୍ଡ ନିକଟରେ ଦାଖଲ କରିବେ। ଅନାଦେୟ ଆଇନ ମୁତାବକ ଜରିମାନା ଆଦାୟ କରିବାକୁ ଜଷ୍ଟିସ୍ ବି. ଅମିତ ସ୍ଥାଲେକର ଓ ଶୈବାଳ ଦାସଗୁପ୍ତାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୫ ତାରିଖରେ ମାମଲାର ବିଚାର କରି ରାୟ ସଂରକ୍ଷିତ ରଖିଥିଲେ। ତେବେ ୨୯ ତାରିଖରେ ମାମଲାର ଶୁଣାଣୀ ହୋଇଥିଲା।
ଡାଲିମିଆ ସିମେଣ୍ଟ୍ ପକ୍ଷରୁ ସର୍ବନିମ୍ନ ପରିବେଶ ନିୟମ ପାଳନ କରାଯାଉନଥିବା ଅଭିଯୋଗ ଆଣି ଏନ୍ଜିଟିର ଦ୍ବାରସ୍ଥ ହୋଇଥିଲେ ସ୍ଥାନୀୟ ରାଜଗାଙ୍ଗପୁର ମାଷ୍ଟର୍ କଲୋନିର ଜୟଦେବ ଦାସ। ଶ୍ରୀ ଦାସଙ୍କ ଅଭିଯୋଗ ଅନୁସାରେ, ଡାଲିମିଆ ସିମେଣ୍ଟ ଭାରତ ଲିମିଡେଟ୍(ପୂର୍ବନାମ ଓସିଏଲ ଇଣ୍ଡିଆ ଲିମିଟେଡ୍କୁ ସିମେଣ୍ଟ୍ ଫ୍ୟାକ୍ଟ୍ରି ଲାଇନ୍-୧ ସ୍ଥାପନ ପାଇଁ ପ୍ରାୟ ୯୧.୯୫ ହେକ୍ଟର ଜମି ଆବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ସଂସ୍ଥା ଲାଇନ୍-୨ ଓ ଲାଇନ୍-୩ ମଧ୍ୟ ସ୍ଥାପନ କରିଥିଲା। ତେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମାନୁଯାୟୀ, ମୋଟ୍ ଆବଣ୍ଟିତ ଜମିର ୩୩ ପ୍ରତିଶତ ଅଞ୍ଚଳରେ ବୃକ୍ଷରୋପଣ କରି ସବୁଜ ବଳୟ ସୃଷ୍ଟି କରାଯିବ। ଏହି କ୍ରମରେ ଡାଲମିଆ ସିମେଣ୍ଟ୍କୁ ମିଳିଥିବା ମୋଟ୍ ଜମିର ୩୧ ହେକ୍ଟରରେ ପ୍ରାୟ ୨୫ ହଜାର ବୃକ୍ଷରୋପଣ କରାଯିବା କଥା; ମାତ୍ର କର୍ତ୍ତୃପକ୍ଷ ଏହାକୁ ଅବହେଳା କରିଛନ୍ତି। ଏହାସହ କାରଖାନାରୁ ନିର୍ଗତ ବର୍ଜ୍ୟମିଶ୍ରିତ ଜଳ ସୁପରିଚାଳନା ପାଇଁ ସ୍ବେରେଜ୍ ଟ୍ରିଟ୍ମେଣ୍ଟ୍ ପ୍ଲାଣ୍ଟ୍(ଏସ୍ଟିପି) ସ୍ଥାପନ କରିନାହାନ୍ତି। ଏମିତିକି ଛାତ ଉପର ଜଳ ଅମଳ ପାଇଁ ପ୍ଲାଣ୍ଟ୍ କିମ୍ବା ଭୂତଳ ଜଳ ପରିଚାଳନା ପାଇଁ ଡ୍ରେନ୍ ବ୍ୟବସ୍ଥା ମଧ୍ୟ କରାଯାଇନଥିବା ଅଭିଯୋଗ ଆଣିଥିଲେ।