ରାଉରକେଲା ରେ ୩୧୧ କୋଟି ଟଙ୍କାର ଜି ଏସ୍ ଟି ଠକେଇ ମାମଲା।। ୫ ଗିରଫ ପରେ ୬ ଜଣଙ୍କ ନାମରେ ଜାମିନ ବିହୀନ ପରୱାନା।। ଅଧିକ ତଦନ୍ତ ଜାରୀ।
ଗତକାଲି ୩୧୧ କୋଟି ଟଙ୍କାର ଜିଏସ୍ଟି ଠକେଇ ମାମଲାର ଚେର ଏବେ ଲମ୍ବି ଲମ୍ବି ଯାଉଛି। ରାଜ୍ୟ ଜିଏସଟି ଏନ୍ଫୋର୍ସମେଣ୍ଟ ୱିଙ୍ଗ ଦ୍ବାରା ଗିରଫ ହୋଇଛନ୍ତି ରାଉରକେଲାର ଦୁଇ ଭାଇ- ଧନୱାନ ସା ଓ ରାମ ଭରୋସେ ସା ଏବଂ ଅନ୍ୟ ତିନି ଜଣ। ଏହି ୫ ବ୍ୟବସାୟୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଜିଏସ୍ଟି ଟିମ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି। ଏତେ ବଡ ଧରଣର ଜି ଏସ୍ ଟି ଠକେଇ ସୁନ୍ଦରଗଡ ଜିଲ୍ଲାରେ ପ୍ରଥମ। ଏହି ସ୍କାମ ର ଅଧିକ ତଦନ୍ତ ଜାରି ରହିଛି। ଅନ୍ୟପଟେ ଜିଏସ୍ଟି ଟିମ୍ର ତଦନ୍ତ ବେଳେ ଗିରଫ ଦୁଇ ଭାଇଙ୍କ ସମ୍ପର୍କୀୟ ଅନ୍ୟ ଦୁଇ ଭାଇଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସୂଚନା ମିଳିଛି। ଏହି ମହା ଠକେଇର ସ୍କାମ ରେ ଏହି ଚାରି ଭାଇ ସମ୍ପୃକ୍ତ ଥିବା ତଦନ୍ତରୁ ଜଣା ପଡ଼ିଛି। ଚାରି ଭାଇଙ୍କ ନାଁରେ ତିନିଟି ସଂସ୍ଥା ଥିବାବେଳେ କାଗଜପତ୍ରରେ ଅନ୍ୟ କିଛି ଜାଲ୍ ସଂସ୍ଥା କରି ସେମାନେ କୋଟି କୋଟି ଟଙ୍କା ଜିଏସ୍ଟି ଠକେଇ କରୁଥିଲେ। ଗତକାଲି ପର୍ଦ୍ଦାଫାସ ହୋଇଥିବା ମୋଟ୍ ୩୧୧ କୋଟି ଜିଏସ୍ଟି ଠକେଇରୁ କେବଳ ଏହି ଦୁଇ ଭାଇ ୨୧୨ କୋଟି ଟଙ୍କାର ଠକେଇ କରିଥିବା କୁହା ଯାଇଛି। ଲୁହା ଓ ଲୁହାପଥର କାରବାର କରିଥିବା କାଗଜପତ୍ରରେ ଦର୍ଶାଇ କୋଟି କୋଟି ଟଙ୍କା ସେମାନେ ଠକିଥିଲେ। ଜିଏସ୍ଟି ଟିମ୍ ସ୍କାନରରେ ଥିବା ଅନ୍ୟ ଦୁଇ ଭାଇଙ୍କୁ ପଚରାଉଚରା କରାଯାଉଛି। ତଦନ୍ତକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ଏହି ଠକ ଗ୍ୟାଙ୍ଗରେ ମୋଟ୍ ୮ ଜଣ ସାମିଲ ଥିଲେ। ଗିରଫ ପାଞ୍ଚ ଅଭିଯୁକ୍ତଙ୍କ ବ୍ୟତୀତ ଅନ୍ୟ ତିନି ଜଣଙ୍କ ମଧ୍ୟରୁ ଦୁଇ ଭାଇଙ୍କୁ ଜିଏସ୍ଟି ଟିମ୍ ପଚରାଉଚୁରା କରୁଥିବା ବେଳେ ବାକି ଅନ୍ୟ ଜଣେ ଫେରାର ଅଛନ୍ତି। ଠକେଇର ସଠିକ ପ୍ରମାଣ ମିଳିବା ପରେ ଜିଏସ୍ଟି ଟିମ୍ ଦୁଇ ଭାଇଙ୍କୁ ଗିରଫ କରିବ ବୋଲି ଜଣାପଡିଛି। ତେବେ ତଦନ୍ତରେ ବାଧା ଆସିବା ଦୃଷ୍ଟିରୁ ଜିଏସ୍ଟି ଅଧିକାରୀ ଏ ସଂକ୍ରାନ୍ତରେ ଅଧିକ କିଛି କହିବାକୁ ମନା କରିଛନ୍ତି। ଅନ୍ୟ ପକ୍ଷରେ ଠକେଇ କାରବାର ଚଳାଇଥିବା ୮ ବ୍ୟବସାୟୀଙ୍କ ଜାଲ ସଂସ୍ଥା ସହ ଆହୁରି ଅନ୍ୟ ୬ ବ୍ୟବସାୟୀ ପରୋକ୍ଷରେ ଜଡିତ ଥିବା ଜିଏସ୍ଟି ଟିମ୍ ଜାଣିବାକୁ ପାଇଛି। ଏହି ୬ ବ୍ୟବସାୟୀଙ୍କ ନାଁରେ ଗିରଫ ବିହୀନ ପରୱାନା (ଏନ୍ବିଡବ୍ଲ୍ୟୁ) ଜାରି ହୋଇଛି। ଗିରଫ ଭୟରେ ଏମାନଙ୍କ ମଧ୍ୟରୁ କିଛି ବ୍ୟବସାୟୀ ବାହାରକୁ ଚାଲି ଯାଇଥିବା କୁହାଯାଉଛି।
ଉଲ୍ଲେଖଯୋଗ୍ୟ, ଗତକାଲି ମୋଟ୍ ୧୭୧୭ କୋଟି ୯୧ ଲକ୍ଷ ଟଙ୍କାର ଜାଲ ବିଲ୍ ବଳରେ ୩୧୧ କୋଟି ୩ ଲକ୍ଷ ଟଙ୍କା ଜିଏସ୍ଟି ଠକେଇ ଘଟଣାରେ ଦୁଇ ଭାଇଙ୍କ ସମେତ ୫ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି। ସେମାନେ ହେଲେ ଧନୱାନ୍ ସା, ତାଙ୍କ ଭାଇ ରାମ ଭରୋସେ ସା, ମନୋଜ କୁମାର ପାଣ୍ଡ, ସୁବାସ କାଣ୍ଡୁଲାନା ଓ ନିକୁ ସିଂହ ଓରଫ ଛତର ସିଂ। ଉଭୟ ଧନୱାନ ଓ ତାଙ୍କ ଭାଇ ରାମ ଭରୋସେ ସ୍ବସ୍ତିକ ଇନ୍ଗଟ୍ ପ୍ରାଇଭେଟ୍ ଲିମିଟେଡ୍, ସୁନୟନା ମେଟାଲ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ସାଇ ରାମ୍ ଇନ୍ଗଟ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ତିନିଟି ସଂସ୍ଥାର ବର୍ତ୍ତମାନ ଓ ପୂର୍ବତନ ନିର୍ଦ୍ଦେଶକ ଅଟନ୍ତି। ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଥାନା ଅନ୍ତର୍ଗତ ପାମରା ଗ୍ରାମସ୍ଥ ସୁବାସ ଟ୍ରେଡର୍ସର ହେଉଛନ୍ତି ସୁବାସ। ରାଉରକେଲା ବାସନ୍ତୀ କଲୋନିର ନିକୁ ସିଂହ ତାଙ୍କର ସହଯୋଗୀ। ଏମାନେ ନିଜ କମ୍ପାନୀ ବ୍ୟତୀତ ୨୩ଟି ଅନ୍ୟ ଜାଲ୍ ସଂସ୍ଥା ସୃଷ୍ଟି କରି ଗତ ୨୦୧୮ରୁ ଜାଲ୍ କାରବାର କରି ଆସୁଥିଲେ। ସେମାନେ ଜାଲ୍ ଆଇଟିସି ଅନ୍ୟମାନଙ୍କୁ ହସ୍ତାନ୍ତର କରି ଟିକସ ଫାଙ୍କୁ ଥିଲେ। ଗିରଫ ଅଭିଯୁକ୍ତମାନେ ୨୪ଟି ଭୂତ ସଂସ୍ଥା ସୃଷ୍ଟିର ମାଷ୍ଟରମାଇଣ୍ଡ ଥିବା ଜଣା ପଡ଼ିଛି। ଏହି ଭୂତ ସଂସ୍ଥାଗୁଡ଼ିକୁ ସ୍ଥାପନ କରିବାଲାଗି ଓ ଚଳାଇବାଲାଗି ସେମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରିଥିଲେ। ଯେଉଁମାନଙ୍କ ମଧ୍ୟରେ ଥିଲେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଏଲ୍ଆଇସି ଏଜେଣ୍ଟ, କ୍ରେନ୍ ଚାଳକ, ଦିନ ମଜୁରିଆ, କୃଷକ, ରାସ୍ତାକଡ ବିକ୍ରେତା, ଗାଡି ପଞ୍ଜିକରଣ ଏଜେଣ୍ଟ ଓ ସାଧାରଣ ଗୃହିଣୀ ଆଦି। ମାସିକ ୫,୦୦୦ରୁ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ନିୟମିତ ମାସିକ ଆୟ ଯୋଗାଇ ଦେବା ଲୋଭ ଦେଖାଇ ଅଭିଯୁକ୍ତମାନେ ସେମାନଙ୍କ ଠାରୁ ପାନ୍, ଆଧାର ଓ ବ୍ୟାଙ୍କ ପାସ୍ବୁକ୍ ଇତ୍ୟାଦି ହାସଲ କରିଥିଲେ। ଏସବୁ କାଗଜପତ୍ରକୁ ଜିଏସ୍ଟି ପଞ୍ଜିକରଣ ପାଇଁ ଅପବ୍ୟବହାର କରିଥିଲେ। ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲା ଏବେ ଜି ଏସ୍ ଟି ଠକେଇର ହବ ପାଲଟିଛି।