ରାଜ୍ୟରେ ଆଜି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଯାଇଛି। ମଙ୍ଗଳବାର ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩। ଆଗକୁ ରଥଯାତ୍ରା। କୋଭିଡ କଟକଣା ଯୋଗୁଁ ଦୁଇବର୍ଷ ହେଲା ବିନା ଭକ୍ତରେ ରଥଯାତ୍ରା ହେଉଥିଲା। କିନ୍ତୁ ଚଳିତ ବର୍ଷ କଟକଣା ପ୍ରାୟ ହଟି ଯାଇଥିବାରୁ ଅଧିକ ରୁ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। କୋଭିଡ ସଂକ୍ରମଣ ଚିନ୍ତାଜନକ ଭାବେ ବୃଦ୍ଧି ପାଉଥିବାରୁ ରଥଯାତ୍ରା ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ରଥଯାତ୍ରା ରେ ୧୦ ଲକ୍ଷ ମାସ୍କ ବାଣ୍ଟିବାର ଲକ୍ଷ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ରାଜ୍ୟର ଅନ୍ୟ ସ୍ଥାନ ଅପେକ୍ଷା ତୁଳନାତ୍ମକ ଭାବେ ଭୁବନେଶ୍ୱର ଏବଂ କଟକରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ପୁରୀ ରେ ଟୀକାକରଣ ଏବଂ କୋଭିଡ ଆଣ୍ଟିଜେନ ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି। “ସରକାର କୋଭିଡ ସଂକ୍ରମଣ ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ମାସ୍କ ପିନ୍ଧିବାକୁ ଏବଂ ଆବଶ୍ୟକ ନଥିଲେ ଭିଡ ସ୍ଥାନକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସରକାର କୋଭିଡ ସଂକ୍ରମଣ ଉପରେ ସତର୍କ ନଜର ରଖିଛନ୍ତି” – କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।