ବିଦ୍ୟୁତ ଲାଇନ ଠିକ କରୁଥିବା ବେଳେ ଖୁଣ୍ଟରୁ ପଡି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ବରଣ କରିବା ଘଟଣା କୁ ନେଇ କଚାରୁ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ଠିକା କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶୃତି ଦେବାପରେ ଏବେ ମାମଲା ଶାନ୍ତ ରହିଛି ।
ସୂଚନାଯୋଗ୍ୟ ଯେ କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ସିହାଲଜୋର ରେ ରହୁଥିବା କୃଷ୍ଣ ଗୌଡ଼ ଏକ ଠିକା କମ୍ପାନୀ ଅଧିନ ରେ ବିଦ୍ୟୁତ ଲାଇନ ସଜାଡ଼ିବା କାମରେ ନିୟୋଜିତ ହୋଇଥିଲେ । ସୋମବାର ଦିନ ଖୁଣ୍ଟରେ ଚଢି କୃଷ୍ଣ କାମ କରୁଥିବା ବେଳେ ତଳେ ପଡିଯାଇ ମୃତ୍ୟୁ ବରଣ କରିଥିଲେ । ଦୁର୍ଘଟଣା ପରେ ଠିକା କମ୍ପାନୀ କିମ୍ବା ମୂଳ କମ୍ପାନୀ ର କୌଣସି ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବାରୁ ଉତ୍ତେଜନା ଦେଖାଦେଇଥିଲା । ଠିକ ସମୟରେ ଚିକିତ୍ସା ଲାଗି ନନେବାରୁ କୃଷ୍ଣ ଙ୍କ ମୃତ୍ୟୁ ଘଟିଲା ବୋଲି ଉଲ୍ଲେଖ କରି ତାଙ୍କ ପରିବାର ପକ୍ଷରୁ କୁଆରମୁଣ୍ଡା ଥାନାରେ ଏତେଲା ଦିଆଯାଇଥିଲା । ଏ ବାବଦରେ ପୋଲିସ ତଦନ୍ତ କରୁଥିବା ବେଳେ ଠିକା କମ୍ପାନୀ କର୍ତ୍ତୃପକ୍ଷ ଉପଯୁକ୍ତ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ମାମଲା ଶାନ୍ତ ରହିଛି । ତେବେ କୃଷ୍ଣ ଙ୍କ ପରିବାରରୁ ଜଣେ ସଦସ୍ୟ ଙ୍କୁ ଚାକିରୀ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।