ଆଉ ମାତ୍ର ତିନିଦିନ ପରେ ରାଉରକେଲା ଅର୍ବନ କୋ-ଅପରେଟିଭ ବ୍ୟାଙ୍କ ନିର୍ଦ୍ଦେଶକ ପଦ ଲାଗି ନିର୍ବାଚନ । ନିର୍ବାଚନ ଅବ୍ୟାହତ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଗୋଟିଏ ପ୍ୟାନେଲ ର ପ୍ରାର୍ଥୀ ମାନଙ୍କୁ ଖୋଲାଖୋଲି ସମର୍ଥନ କରିବା ନିର୍ବାଚନ ପରିବେଶ କୁ ସରଗରମ କରିଦେଇଛି।

ଦୁଇଦିନ ପୂର୍ବରୁ ଦିଲ୍ଲୀପ ରାୟ ରାଉରକେଲା ଆସି ଦିଲ୍ଲୀପ ମହାପାତ୍ର ପ୍ୟାନେଲ ରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କୁ ନିଜର ସମର୍ଥନ ଜଣାଇଥିଲେ। ପୂର୍ବରୁ ଦିଲ୍ଲୀପ ମହାପାତ୍ରଙ୍କ ପ୍ୟାନେଲର ତିନି ଜଣ ନିର୍ଦ୍ଦେଶକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇ ସାରିଛନ୍ତି। ଫଳରେ ଆଦିତ୍ୟ ମହାପାତ୍ରଙ୍କ ପ୍ୟାନେଲ କୁ ଏହା ଏକ ଶକ୍ତ ଧକ୍କା ଦେଇଛି। ବ୍ୟାଙ୍କ ଅଧ୍ୟକ୍ଷ ପଦ ଲାଗି ଆଶାୟୀ ଆଦିତ୍ୟଙ୍କ ନିଜ ପ୍ରାର୍ଥୀ ପତ୍ର ମଧ୍ୟ ନାକଚ ହୋଇଯାଇଛି। ଅନ୍ୟପକ୍ଷରେ ରାଉରକେଲା ବଣିକ ସଙ୍ଘ ନିର୍ବାଚନରେ ଦିଲ୍ଲୀପ ରାୟ ଙ୍କ ସମର୍ଥିତ ପ୍ରାର୍ଥୀ ସୁବ୍ରତ ପଟ୍ଟନାୟକ ଅଧ୍ୟକ୍ଷ ପଦରେ ବିଜୟୀ ହେବା ପରେ ଏବେ ଅର୍ବନ ବ୍ୟାଙ୍କ ନିର୍ଵାଚନରେ ନିଜ ଆଧିପତ୍ୟ ଜାହିର କରିବାକୁ ଦିଲ୍ଲୀପ କ୍ୟାମ୍ପ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ପୂର୍ବରୁ ଶ୍ରୀ ରାୟ ବ୍ୟାଙ୍କ ନିର୍ବାଚନରେ ଭିତରିଆ ସମର୍ଥନ ଦେଉଥିଲେ। ଏବେ ନିଜ ଆବାସିକ କାର୍ଯ୍ୟାଳୟ “କଲ୍ୟାଣି” ଠାରେ ଗୋଟିଏ ପ୍ୟାନେଲର ନିର୍ଦ୍ଦେଶକ ପ୍ରାର୍ଥୀ ମାନଙ୍କୁ ଖୋଲାଖୋଲି ସମର୍ଥନ ଦେବା ଯୋଗୁଁ ଦିଲ୍ଲୀପ ମହାପାତ୍ରଙ୍କ ପ୍ୟାନେଲ ସୁବିଧାଜନକ ସ୍ଥିତିରେ ରହିଛି। ବ୍ୟାଙ୍କ ର ୧୫ ଜଣ ନିର୍ଦେଶକଙ୍କ ମଧ୍ୟରୁ ତିନିଜଣ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଏବେ ୧୨ ନିର୍ଦ୍ଦେଶକ ପଦ ଲାଗି ନିର୍ବାଚନ ହେଉଛି। ଦିଲ୍ଲୀପ ରାୟ ଏହି ପ୍ୟାନେଲ ର ସମସ୍ତ ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେଇଥିବା ବେଳେ ମାଠିଆ ଚିହ୍ନ ରେ ଭୋଟ ଦେବାକୁ ତାଙ୍କର ପାଖ ଲୋକମାନଙ୍କୁ କହିଥିବା କୁହାଯାଉଛି।
ରାଉରକେଲା ରାଜନୀତି ରେ ୪ ଦଶନ୍ଧି ଧରି ନିଜ ଦବଦବା ଜାରି ରଖିଥିବା ଦିଲ୍ଲୀପ ରାୟ ଏବେ ପୁଣି ରାଉରକେଲା ରାଜନୀତି ରେ ସକ୍ରିୟ ହୋଇଯାଇଛନ୍ତି। ଏବେ ଅର୍ବନ ବ୍ୟାଙ୍କ ନିର୍ବାଚନର ସଫଳତା ଯଦି ତାଙ୍କ ପକେଟ କୁ ଆସିଯାଏ ତେବେ ଆଗାମୀ ଦିନର ଟାର୍ଗେଟ ରହିବ ରାଉରକେଲା ମହାନଗର ନିଗମ ନିର୍ବାଚନ। ଏପରି ଚର୍ଚ୍ଚା ହେଉଛି ରାଉରକେଲା ରେ ।
ଆସନ୍ତା ୧୯ ତାରିଖରେ ରାଉରକେଲା ଅର୍ବାନ କୋଅପରେଟିଭ ବ୍ୟାଙ୍କ ନିର୍ଦ୍ଦେଶକ ପଦ ଲାଗି ନିର୍ବାଚନ ହେବ। ସକାଳ ୭ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ସେହିଦିନ ଭୋଟ ଗଣତି ମଧ୍ୟ କରାଯିବାର ସୂଚନା ରହିଛି।