ମଧ୍ୟପ୍ରଦେଶ ଗୁନା ରେ ଶିକାରୀଙ୍କ ଗୁଳିରେ ୩ ପୁଲିସ କର୍ମୀ ସହିଦ।। ଅପରାଧୀ ଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ର ଚଢ଼ାଉ।
ଭୋପାଳ: ମଧ୍ୟପ୍ରଦେଶ ଗୁନାରେ ଶିକାରୀଙ୍କ ଗୁଳିରେ ୩ ପୁଲିସ୍ କର୍ମୀ ଶହୀଦ ହୋଇଥିବା ବେଳେ ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଆଇଜି ଅନୀଲ ଶର୍ମାଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଇ ଦେଇଛନ୍ତି।

ଏଥିସହ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ନିଜ ନିଜ ପୈତୃକ ଗାଁରେ ସେମାନଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ, ସେଥିରେ ମନ୍ତ୍ରୀ ସାମିଲ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଗତକାଲି ବିଳମ୍ବିତ ରାତିରେ ସାଗା ବରଖେଡା ଗାଁରେ ଶିକାରୀ ଓ ପୁଲିସ୍ ଟିମ୍ ମୁହାଁମୁହିଁ ହୋଇଥିବା ବେଳେ ଏଥିରେ ଜଣେ ଶିକାରୀର ମୃତ୍ୟୁ ହୋଇଥିଲା। ହେଲେ ଶିକାରୀଙ୍କ ଫୟାରିଂରେ ଏଏସ୍ଆଇ ରାଜକୁମାର ଜାଟବ, କନଷ୍ଟେବଳ ନିଳେଶ ଭାର୍ଗବ ଓ ସିପାହୀ ସନ୍ତରାମ ସହୀଦ ହୋଇଛନ୍ତି।
ଏହାକୁ ନେଇ ମଧ୍ୟପ୍ରଦେଶରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅପରାଧୀଙ୍କ ଚିହ୍ନଟ ହୋଇ ସାରିଛି। ସେମାନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯିବ ଯାହାକି ଭବିଷ୍ୟତ ପାଇଁ ଇତିହାସ ପାଲଟିବ । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ କରାଯାଉଛି। କୌଣସି ବି ପରିସ୍ଥିତିରେ ସେମାନଙ୍କୁ ଖସିବାକୁ ଦିଅଯିବନି।
ସୂଚନାଯୋଗ୍ୟ, ସାଗା ବରଖେଡା ଗାଁରେ କଳା ହରିଣ ଶିକାର ଚାଲୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୁଲିସ୍ ଟିମ୍ ସେଠାକୁ ଯାଇଥିଲା। ପୁଲିସ୍କୁ ଦେଖି ଶିକାରୀ ଗ୍ୟାଙ୍ଗ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହି ଫାୟାରିଂରେ ଘଟଣାସ୍ଥଳରେ ୩ ପୁଲିସ୍ କର୍ମୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ୪ଟି ହରିଣ ମୁଣ୍ଡ, ୨ଟି ମୁଣ୍ଡବିହୀନ ହରିଣ ଓ ଏକ ମୟୁରର ଶବ ଜବତ ହୋଇଛି।