ଦୁଇଜଣ ପୋଲିସ କର୍ମଚାରୀଙ୍କ ନିଜ ଡ୍ୟୁଟି ବାହାରେ କରିଥିବା କାମ ଆଜି ରାଉରକେଲା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରାଫିକ ଡ୍ୟୁଟି ରେ ଥିବା ଦୁଇଜଣ ପୋଲିସ ସିପାହୀ ହାତରେ ଝାଡୁ ଧରି ରାସ୍ତା ସଫାକରିବା ଏବଂ ଲୋକଙ୍କୁ ଦୁର୍ଘଟଣା ମୁଖରୁ ରକ୍ଷା କରିବା ପ୍ରୟାସ କରି ପ୍ରଶଂସାର ପାତ୍ର ହୋଇଛନ୍ତି ।

ଏହି ଘଟଣାଟି ହେଉଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଟି ସି ଆଇ ଛକ ନିକଟ ୧୪୩ ନମ୍ବର ଜାତୀୟ ରାଜପଥର। କୌଣସି ଏକ ଓଭର ଲୋଡିଙ୍ଗ ମେଟାଲ ବୋଝେଇ ଟ୍ରକ ଗଲାବେଳେ ଉକ୍ତ ରାଜପଥରେ ଗେଟି ଗୁଡିକ ବିଛାଡି ହୋଇ ପଡ଼ିଥିଲା। ଏହା ଏକ ବ୍ୟସ୍ତ ତମ ରୋଡ଼। ଉକ୍ତ ରାସ୍ତା ଦେଇ ବହୁ ଗାଡି ମଟର ଯିବା ଆସିବା କରିଥାଏ। ରାସ୍ତାରେ ପଡିଥିବା ଗେଟି ଯୋଗୁଁ ଦୁର୍ଘଟଣା ଘଟିବାର ବହୁ ସମ୍ଭାବନା ଥିବାରୁ ସେଠାରେ ଥିବା ପୋଲିସ କର୍ମଚାରୀ ଦୁଇଜଣ ବ୍ୟସ୍ତ ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ରାଜପଥ କର୍ମଚାରୀ କିମ୍ବା ମହନଗର ନିଗମ କର୍ମଚାରୀଙ୍କୁ ଡାକି ରାସ୍ତା ସଫା କରିବା ସମ୍ଭବ ନଥିଲା। ତେଣୁ ଉଭୟ ପୋଲିସ ସିପାହୀ ହାତରେ ଝାଡୁ ଧରି ରାସ୍ତା ସଫା କରିବାରେ ଲାଗି ପଡିଥିଲେ । ରାସ୍ତା ସଫା କରି ସେଠାରେ ପଡିଥିବା ଏକ ପ୍ଲାଷ୍ଟିକ ବସ୍ତାରେ ଗେଟି ଗୁଡିକ ରାସ୍ତା ଉପରୁ ସ୍ଥାନାନ୍ତର କରିଥିଲେ। ପୋଲିସ କର୍ମଚାରୀ ଦ୍ୱୟଙ୍କ ଏହି କାର୍ଯ୍ୟ ନିଶ୍ଚିତ ଭାବେ ପ୍ରଶଂସନୀୟ। ଭଲ କାମ କରିବାକୁ କୌଣସି ସୀମା ନିର୍ଦ୍ଧାରଣ କରାଯାଇନାହିଁ। ଏକଥା ଶହେ ପ୍ରତିଶତ ସତ। ଏହା ପ୍ରମାଣ କରିଦେଇଛନ୍ତି ରାଉରକେଲା ର ଏହି ଦୁଇଜଣ ପୋଲିସ କର୍ମଚାରୀ।