ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ବରସୁଆଁ ନିକଟ ଦମାଳୁ ଗ୍ରାମରେ ଗୋଟିଏ ପରିବାରର ଦୁଇଜଣ ଶିଶୁ ଙ୍କ ଅଜଣା ଜ୍ୱର ରେ ମୃତ୍ୟୁ ହେବା ଘଟଣା ଉକ୍ତ ଅଞ୍ଚଳର ଲୋକ ମାନଙ୍କ ଚିନ୍ତାର କାରଣ ହୋଇଛି । ଅନ୍ୟପକ୍ଷରେ ଦୁଇ ମୃତ ଶିଶୁ ଙ୍କ ମା ଇନ୍ଦୁ ତୁରୀ ଏବଂ ଏକ ବର୍ଷର ଅନ୍ୟ ଏକ ପୁଅ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ମାତ୍ର କେଇ ଘଣ୍ଟା ବ୍ୟବଧାନରେ ଦୁଇ ଜଣ ସାତ ଆଠ ବର୍ଷର ଶିଶୁ ଙ୍କ ମୃତ୍ୟୁ କୁ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଗୁରୁତର ସହ ନେଇଛି । ଆଜି ସୁନ୍ଦରଗଡ଼ ସି ଡ଼ି ଏମ ଓ ସରୋଜ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଉକ୍ତ ଗ୍ରାମକୁ ଯାଇ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ପରୀକ୍ଷା କରିଛନ୍ତି। ଉକ୍ତ ଗ୍ରାମର ପ୍ରାୟ ଦୁଇଶହ ଲୋକଙ୍କ ମ୍ୟାଲେରିଆ , ଡେଙ୍ଗୁ ଏବଂ କୋଭିଡ ଟେଷ୍ଟ କରାଯାଇଛି । ଅଜଣା ଜ୍ୱର ରେ ଦୁଇ ଶିଶୁ ଙ୍କ ମୃତ୍ୟୁ ର କାରଣ ଜଣା ପଡି ନଥିଲେ ମଧ୍ୟ ପରୀକ୍ଷା ନିରୀକ୍ଷା ପରେ ସଠିକ କାରଣ ଜଣା ପଡିବ । ତେବେ ପନ୍ଦର ଦିନ ପର୍ଯ୍ୟନ୍ତ ଉକ୍ତ ଗ୍ରାମରେ ମେଡ଼ିକାଲ ଟିମ ରହିବା ସହ ଉକ୍ତ ଅଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ ବୋଲି ସି ଡି ଏମ ଓ ସରୋଜ କୁମାର ମିଶ୍ର କହିଛନ୍ତି ।