ଅଜଣା ରୋଗରେ ଗୋଟିଏ ପରିବାରର ଦୁଇଜଣ ଶିଶୁ ଙ୍କ ମୃତ୍ୟୁ ।
ମା ଏବଂ ଅନ୍ୟ ଶିଶୁ ପୁତ୍ର ଲହୁଣୀପଡା ଡାକ୍ତରଖାନାରେ ଭର୍ତ୍ତି ।
ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନର୍ଗତ ବରସୁଆଁ ନିକଟ ଦାମଳୁ ସ୍କୁଲ ବସ୍ତି ରେ ଅଜଣା ରୋଗରେ ଦୁଇଜଣ ଶିଶୁଙ୍କ ମୃତ୍ୟ ଘଟଣା ଉକ୍ତ ଅଞ୍ଚଳରେ ଭୟ ଏବଂ ଆଶଙ୍କା ର ବାତାବରଣ ଖେଳାଇଦେଇଛି । ଉକ୍ତ ବସ୍ତିରେ ଇନ୍ଦୁ ଦୁରୀ ତାଙ୍କର ତିନୋଟି ଛୋଟ ପିଲାଙ୍କ ସହ ରହନ୍ତି । ଛଅ ମାସ ପୂର୍ବରୁ ତାଙ୍କର ସ୍ୱାମୀ କିଶୋର ଦୁରୀ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । କିଛିଦିନ ପୂର୍ବରୁ ଘରେ ସମସ୍ତଙ୍କୁ ଜ୍ୱର ଲାଗି ରହିଥିଲା । ସଚେତନତା ଅଭାବରୁ ଡାକ୍ତରଙ୍କୁ ନଦେଖାଇ ସ୍ଥାନୀୟ କ୍ୱାକ ଦ୍ୱାରା ଚିକିତ୍ସା କରାଉଥିଲେ ।

ପିଲା ତିନିଜଣ ସୁସ୍ଥ ନହେବାରୁ ଲହୁଣୀ ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଲାଗି ଖବର ଦିଆ ଯାଇଥିଲା । ତେବେ ଆମ୍ବୁଲାନ୍ସ ନ ଯାଇଥିବାର ଅଭିଯୋଗ ହୋଇଛି । ଘରେ ଥିବା ବେଳେ ସାତ ବର୍ଷର ଝିଅ ଏବଂ ଆଠ ବର୍ଷର ପୁଅ ର ମୃତ୍ୟୁ ହୋଇଥିଲା । ମା ଇନ୍ଦୁ ଏବଂ ତାର ଅନ୍ୟ ଏକ ଛୋଟ ପୁଅ ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଲୋକମାନେ ଏକ ଅଟୋ ସାହାଯ୍ୟରେ ଆଣି ଲହୁଣୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତେବେ କେଉଁ କାରଣରୁ 24 ଘଣ୍ଟା ମଧ୍ୟରେ ଦୁଇଜଣ ଶିଶୁ ଙ୍କ ମୃତ୍ୟୁ ଘଟିଲା ତାର ସଠିକ କାରଣ ଜଣା ପଡ଼ିନାହିଁ । ତେବେ ମୃତ୍ୟୁ ପଛରେ କଣ କାରଣ ରହିଛି ତାର ତଦନ୍ତ କରିବାଲାଗି ଆସନ୍ତାକାଲି ଏକ ଡାକ୍ତର ଟିମ ଉକ୍ତ ଦାମଳୁ ଗ୍ରାମକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏବେ ଲହୁଣୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମା ଇନ୍ଦୁ ଏବଂ ତାଙ୍କ ଶିଶୁ ପୁତ୍ରର ଚିକିତ୍ସା ଚାଲିଛି ।