ଫେବୃଆରୀ ମାସର କୋଭିଡ ଗାଇଡ଼ ଲାଇନ ଜାରୀ କଲେ ସରକାର।। ରାତି ୧୦ଟା ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କାର୍ଫ୍ୟୁ।। ସର୍ବସାଧାରଣ ସ୍ଥାନରେ ସରସ୍ୱତୀ ପୂଜା ପାଳନ ଉପରେ ରୋକ।
ଫେବୃଆରୀ ମାସର ଗାଇଡଲାଇନ୍ ସରକାର ଜାରି କରିଛନ୍ତି। ଫେବ୍ରୁଆରୀ ପହିଲାରୁ ଫେବୃଆରୀ ୨୮ ଯାଏଁ ଏହି ଗାଇଡଲାଇନ ଜାରି ରହିବ । ରାତି ନଅ ଟାରୁ ଲାଗୁ ହୋଇଥିବା ନାଇଟ କାର୍ଫ୍ୟୁ ରାତି ଦଶଟା ରୁ ଆରମ୍ଭ ହୋଇ ସକାଳ ୫ଟା ପର୍ଯ୍ୟନ୍ତ ରହିବ। ଫେବୃଆରୀ ମାସରେ ସରସ୍ୱତୀ ପୂଜା ପଡୁଥିବାରୁ ପୂଜା ଲାଗି ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି କରାଯାଇଛି ।

ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ମିଳିଛି । ଖୁବ କମ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା ପାଳନ କରିବାକୁ କୁହାଯାଇଛି । କୋଭିଡ ପ୍ରୋଟୋକଲ ରେ ସରସ୍ୱତୀ ପୂଜା ପାଳନ ଲାଗି ପରାମର୍ଶ ଦିଆଯାଇଛି । ଶିକ୍ଷାନୁଷ୍ଠାନ ବ୍ୟତୀତ ସର୍ବସାଧାରଣ ସ୍ଥାନରେ ସରସ୍ୱତୀ ପୂଜା ପାଳନ ହୋଇପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ କୋଭିଡ ଗାଇଡଲାଇନ ଅନୁଯାୟୀ ଲୋକମାନେ ନିଜ ନିଜ ଘରେ ସରସ୍ୱତୀ ପୂଜା ପାଳନ କରିପାରିବେ । ଫେବୃଆରୀ ମାସରେ ସାମୁହିକ ଭୋଜି , ପିକନିକ ଉପରେ କଟକଣା ରହିଛ । ମାଘ ସପ୍ତମୀରେ ନଦୀ, ପୋଖରୀ, ସମୁଦ୍ର ଏବଂ ଜଳାଶୟ ରେ ବୁଡ ପକାଇବା ଉପରେ ରୋକ ଲଗାଯାଇଛି । ମନ୍ଦିରରେ ବିନା ଭକ୍ତରେ ରୀତିନୀତି ଅନୁଯାୟୀ ମାଘସପ୍ତମୀ ପାଳନ କରାଯିବ ବୋଲି କୁହାଯାଇଛି ।