ଆସନ୍ତା କାଲି ସୁନ୍ଦରଗଡରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ଶୁଭାରମ୍ଭ,ଆସୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ୧୭ ମନ୍ତ୍ରୀ, ବିଧାୟକ, ସାଂସଦ ଓ ନିଗମ ଅଧ୍ୟକ୍ଷଙ୍କ ଭିଡ଼
ରାଉରକେଲା ,13/9 (ଏସ ଏନ ଏ) ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲାରେ ହିତାଧିକାରୀଙ୍କୁ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ରାଉରକେଲା ଆଇଜିଏଚ୍ ସୁପରସ୍ପେଶିଆଲିଟି ହସ୍ପିଟାଲ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଶୁଭାରମ୍ଭ କରିବେ। ରାଉରକେଲା,ସୁନ୍ଦରଗଡ ସମେତ ଜିଲ୍ଲାର ୧୭ ବ୍ଲକରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟେକ ବ୍ଲକରେ ଜଣେ ଲେଖାଏଁ ମନ୍ତ୍ରୀ ଓ ଉପଦେଷ୍ଟା ଯୋଗଦେଇ ହିତାଧିକାରୀଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବେ।
କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ଏବଂ ବିଜୁ ଜନତା ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି। ଆଜିଠାରୁ ରାଉରକେଲାକୁ ମନ୍ତ୍ରୀ, ବିଧାୟକ ଓ ବିଭିନ୍ନ ନିଗମ ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କ ସୁଅ ଛୁଟିଛି। ଏଥିପାଇଁ ରାଉରକେଲା ହାଉସ୍ ସମେତ ହୋଟେଲ ଓ ଗେଷ୍ଟ ହାଉସ୍ ବୁକିଂ ସରିଛି। ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, କ୍ରୀଡା ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ତୁଷାକାନ୍ତି ବେହେରା, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ପଦ୍ମନାଭ ବେହେରା ପହଞ୍ଚିବେ।
ଅଧିକାଂଶ ମନ୍ତ୍ରୀ, ବିଧାୟକ ଓ ନିଗମ ଅଧ୍ୟକ୍ଷ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ୍ ଗସ୍ତ କରି ବିଭାଗୀୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ। ରାଉରକେଲା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କିଛି ମନ୍ତ୍ରୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ଉପସ୍ଥିତ ରହିବେ। ସୁନ୍ଦରଗଡରେ ସ୍ବାସ୍ଥ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଓଟିଡିସି ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉପସ୍ଥିତ ରହିବେ। ବାଲିଶଙ୍କରା ବ୍ଲକରେ ଉଚ୍ଚ ଶିକ୍ଷା ଓ କୃଷିମନ୍ତ୍ରୀ ଅରୁଣ ସାହୁ ଓ ପୁଷ୍ପେନ୍ଦ୍ର ସିଂହଦେଓ, ବଣାଇ ବ୍ଲକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଓଡ଼ିଶା ଖାଦ୍ୟ ନିଗମ ଅଧ୍ୟକ୍ଷ ଈଶ୍ବର ପାଣିଗ୍ରାହୀ, ଲହୁଣୀପଡା ବ୍ଲକରେ ଶିଳ୍ପ, ଶକ୍ତି ଓ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅମରେନ୍ଦ୍ର ଦାସ, ସବଡେଗା ବ୍ଲକରେ ଆଦିବାଦୀ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାର୍କାଙ୍କ ସହ ବିନୟ ଟପ୍ପୋ ଉପସ୍ଥିତ ରହିବେ। ଟାଙ୍ଗରପାଲି ବ୍ଲକରେ ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ସତ୍ୟବ୍ରତ ତ୍ରିପାଠୀ, ବଡଗାଁରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସହ ପ୍ରଭାତ ଆଦିତ୍ୟ ମିଶ୍ର, କୁତ୍ରାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହ ଦେବାଶିଷ ମହାନ୍ତି, ଲାଠିକଟା ବ୍ଲକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ରାମଚନ୍ଦ୍ର ପଣ୍ଡା, ସୁନ୍ଦରଗଡ ପୌରପାଳିକାରେ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସହ ଦେବାଶିଷ ମଲ୍ଲିକ, ହେମଗିରି ବ୍ଲକରେ ଇସ୍ପାତ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରାଜ୍ୟ ମୁଖପାତ୍ର ସୁଲତା ଦେଓ, ରାଜଗାଙ୍ଗପୁର ବ୍ଲକରେ ନଗର ଉନ୍ନୟନ ଓ ଆଇମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ସାଂସଦ ଅନୁଭବ ପଟ୍ଟନାୟକ, କୋଇଡା ବ୍ଲକରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ସହ ଅସିତ ପଟ୍ଟନାୟକ ଉପସ୍ଥିତ ରହିବେ। ଅନୁରୂପ ଭାବେ ନୂଆଗାଁ ବ୍ଲକରେ ସୂଚନା ଓ ଲୋକ ସମ୍ପର୍କମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ ସଂଗ୍ରାମ ପାଇକ୍ ରାୟ, କୁଆରମୁଣ୍ଡା ବ୍ଲକରେ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସହ ସୁଧୀର ଦାସ, ଲେଫ୍ରିପଡା ବ୍ଲକରେ ମହିଳା ଓ ଶିଶୁ ବିକାଶମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଲୋପାମୁଦ୍ରା ବକ୍ସିପାତ୍ର ଏବଂ ବିଶ୍ରା ବ୍ଲକରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଦିଲୀପ ତିର୍କୀ ଉପସ୍ଥିତ ରହିବେ। ବୀରମିତ୍ରପୁର ପୌରପାଳିକାରେ ଉତ୍କଳ ପରିଡା, ଗୁରୁଣ୍ଡିଆ ବ୍ଲକରେ ଆକାଶ ଦାସ ନାୟକ, ରାଜଗାଙ୍ଗପୁର ପୌରପାଳିକାରେ ପ୍ରିୟଦର୍ଶୀ ନାୟକଙ୍କ ସହ ମୀନକେତନ ଅମାତ ରହିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ଶାସକ ଦଳର ସ୍ଥାନୀୟ କର୍ମକର୍ତ୍ତାଙ୍କ ସହିତ ସୁନ୍ଦରଗଡ ଏବଂ ରାଉରକେଲା ଜିଲ୍ଲା ପ୍ରଶାସନ ସକ୍ରିୟ ରହିଛନ୍ତି ।