ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ଏବଂ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ଜଳଖିଆକୁ ଲୋକପ୍ରିୟ କରିବା ପାଇଁ ‘ମିଲେଟ୍ ଅନ୍ ହ୍ୱିଲ୍ସ’ ବ୍ୟବସ୍ଥା ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦୁଇଟି ସ୍ୱତନ୍ତ୍ର ଗାଡ଼ି ମାଧ୍ୟମରେ ନୂଆଗାଁ ଏବଂ କୁତ୍ରା ବ୍ଲକର ବିଭିନ୍ନ ହାଟ, ବଜାର ଆଦି ସ୍ଥାନରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ବିକ୍ରୟ କରାଯାଉଛି। ଲୋକମାନେ ଏହି ଖାଦ୍ୟ ପ୍ରତି ବିଶେଷ ଆଗ୍ରହ ଦେଖାଉଥିବା ଦେଖିବାକୁ ମିଳିଛି।
‘ମିଲେଟ୍ ଅନ୍ ହ୍ୱିଲ୍ସ’ ପରିଚାଳନା ପାଇଁ ନୂଆଗାଁ କୃଷକ ଉତ୍ପାଦକ ସଙ୍ଗଠନ ଏବଂ କୁତ୍ରାର ଜନବିକାଶ କୃଷକ ଉତ୍ପାଦକ ସଂଗଠନକୁ ଦାୟିତ୍ୱ ଦିଆଯାଇଛି। ଏହି ସଙ୍ଗଠନର ସଦସ୍ୟାମାନେ ପୁଷ୍ଟିଶସ୍ୟରୁ ଇଡଲି, ଗୁଲଗୁଲା, ହାଲୁଆ, ବରା, ଦୋସା, ବିସ୍କୁଟ୍, କେକ୍, ରୁଟି, ଖିରି, ପଲଉ,ଚା ଆଦି ତିଆରି କରି ବିକ୍ରି କରୁଛନ୍ତି। ଆଗାମୀ ଦିନରେ ଜିଲ୍ଲାରେ ଆଉ ୨ଟି ମିଲେଟ୍ ଅନ୍ ହ୍ୱିଲ୍ସ ଖୋଲିବାକୁ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।
ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ମିଲେଟ୍ ଅନ୍ ହ୍ୱିଲ୍ସ ସହିତ ଜିଲ୍ଲାରେ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲା ଯାଉଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ରାଜଗାଙ୍ଗପୁର, ନୂଆଗଁ, କୁଆଁରମୁଣ୍ଡା, ହେମଗିର ଏବଂ ଲହୁଣୀପଡ଼ା ବ୍ଲକରେ ୫ଟି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲାଯାଇଛି। ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି। ଏହିଭଳି ୮୧ଟି ଟିଫିନ୍ ସେଣ୍ଟର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି।
ଅନେକ ଛାତ୍ରଛାତ୍ରୀ, ଯୁବପିଢ଼ି, ଶ୍ରମଜୀବୀମାନେ ଜଳଖିଆ ପାଇଁ ବିଭିନ୍ନ ଦୋକାନ ଉପରେ ନିର୍ଭର କରୁଛନ୍ତି। ଏବେ ସେମାନଙ୍କ ପାଇଁ ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ବିଶେଷ ସହାୟକ ହେବ। କାରଣ ସେମାନେ ଏହି କେନ୍ଦ୍ରରୁ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ତଥା ରୁଚିକର ଜଳଖିଆ ପାଇପାରିବେ।
ମାଣ୍ତିଆ ତଥା ଅନ୍ୟ ପୁଷ୍ଟିଶସ୍ୟରୁ ଶରୀରକୁ ଅନେକ ସ୍ୱାସ୍ଥ୍ୟଗତ ଲାଭ ମିଳିଥାଏ। ତା’ଛଡ଼ା ପୁଷ୍ଟିଶସ୍ୟରେ ପ୍ରଚୁର ପରିମାଣର ପୁଷ୍ଟିକର ଗୁଣ ଭରି ରହିଛି। ତେଣୁ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଖାଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ଗତ ୨୪ ତାରିଖ ଦିନ ଜିଲ୍ଲାର ପ୍ରଥମ ମିଲେଟ୍ ଅନ୍ ହ୍ୱିଲ୍ସକୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାୟକ ଶୁଭାରମ୍ଭ କରିଥିଲେ।
ସୁନ୍ଦରଗଡ଼ ଜିଲ୍ଲାର ସର୍ବାଧିକ ୧୧ଟି ବ୍ଲକରେ ଚଳିତ ବର୍ଷ ମାଣ୍ଡିଆ ଚାଷ କରାଯାଉଛି। ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟରେ ପ୍ରଚୁର ପୋଷଣ ଶକ୍ତି ରହିଛି। ତେଣୁ ଏହି ପୁଷ୍ଟିଶସ୍ୟକୁ ଚାଷଜମିରୁ ଲୋକଙ୍କ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।
