ପୋଲିସ ଇନଫର୍ମର ସନ୍ଦେହରେ ଗୁଳିକରି ଯୁବକଙ୍କୁ ହତ୍ୟା।। ଠିକା କାମରେ ନିୟୋଜିତ ଜେସିବି ଜଳିଦେଲେ। ଓଡିଶା-ଝାରଖଣ୍ଡ ସୀମାନ୍ତରେ ନକ୍ସଲ ସଙ୍ଗଠନ ସକ୍ରିୟ
ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲମାନେ ପୁଣି ସକ୍ରିୟ ହୋଇ ଉଠିବା ସହ ନିଜର ଉପସ୍ଥିତି ଜାହିର କରିଛନ୍ତି। ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଜଣେ ଯୁବକଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଉକ୍ତ ଅଞ୍ଚଳରେ ଠିକା କାମରେ ନିୟୋଜିତ ଜେସିବିକୁ ନିଆଁ ଲଗାଇ ଜାଳି ଦେଇଛନ୍ତି
। ଏମିତି ଘଟଣା ଘଟିଛି ପଶ୍ଚିମ ସିଂହଭୂମ ଜିଲ୍ଲା ଗୋଏଲକେରା ଥାନା ଅନ୍ତର୍ଗତ ଅମ୍ବରାଇ ପାଲୁହାସାରେ। ମୃତକ ଜଣକ ହେଲେ ପାଲୁହାସା ଗ୍ରାମର ୨୫ ବର୍ଷୀୟ ଯୁବକ ବୋଏରାମ ଲୁଗୁନ । ବୋଏରାମ ବନ ବିଭାଗରେ ମୁନ୍ସୀ ଭାବେ କାମ କରୁଥିଲେ। ନକ୍ସଲ ମାନେ ରେଞ୍ଜର, ଫରେଷ୍ଟର, ବନ ମାଫିଆଙ୍କ ସହ ଠିକାଦାର ମାନଙ୍କୁ ଜଙ୍ଗଲରୁ ହଟିଯିବାକୁ ପୋଷ୍ଟରରେ ଚେତାବନୀ ଦେଇଛନ୍ତି।
ପ୍ରଥମେ ନକ୍ସଲମାନେ ମାରଣାସ୍ତ୍ର ସହ ପାଲୁହାସା ଜଙ୍ଗଲରେ ବନ ବିଭାଗ ଦ୍ବାରା ଚାଲୁଥିବା କାମ ନିକଟରେ ପହଞ୍ଚିଥିଲେ। ଠିକାଦାର କୁଆଡେ ଗଲା ବୋଲି ମୁନ୍ସୀ ବୋଏରାମଙ୍କୁ ପଚାରିଥିଲେ। ବୋଏରାମ କିଛି ନ କହିବାରୁ ସେମାନେ ତାଙ୍କୁ ଘଟଣାସ୍ଥଳରେ ହତ୍ୟା କରି ଫିଙ୍ଗି ଦେଇଥିଲେ। ପରେ କାମରେ ନିୟୋଜିତ ଜେସିବିକୁ ନିଆଁ ଲଗାଇ ଜାଳି ଦେଇଥିଲେ। ସୂଚନା ପାଇ ମଙ୍ଗଳବାର ସଂଧ୍ୟାରେ ଗୋଏଲକେରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

