ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲାଗି କରାଯାଉଛି ବ୍ୟାଙ୍କ ସଂଯୋଗୀକରଣ।
ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ (ଏସଏଚଜି) ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ବ୍ୟାଙ୍କ ସହ ସଂଯୋଗୀକରଣ କରାଯାଉଛି। ନଭେମ୍ବର ୧୦ ତାରିଖରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମନ୍ୱୟ ମେଳା ଆୟୋଜନ କରାଯାଇ ୯୨ ପ୍ରତିଶତରୁ ଉର୍ଦ୍ଧ୍ୱ ମହିଳା ଏସଏଚଜିମାନଙ୍କର ବ୍ୟାଙ୍କ ସଂଯୋଗୀକରଣ କରାଯାଇ ଋଣ ଦିଆଯାଇଛି।
ରାଜ୍ୟ ସରକାରଙ୍କ ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ଓ ସଶକ୍ତ କରିବାର ପ୍ରୟାସ କରାଯାଉଛି। ୨୦୨୧-୨୨ ଆର୍ଥିକ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାର ୧୨, ୪୫୭ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ସଂଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ଧର୍ଯ୍ୟ କରାଯାଇଥିଲା।
ଏହି ଲକ୍ଷ୍ୟ ପୂରଣ ପାଇଁ ନଭେମ୍ବର ୧୦ ତାରିଖରୁ ମାସବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ବିଭିନ୍ନ ବ୍ଲକରେ ମିଶନ ଶକ୍ତି, ଓଡିଶା ଜୀବିକା ମିଶନ ଓ ବ୍ୟାଙ୍କ ଅଧିକାରୀମାନଙ୍କ ଉପସ୍ଥିତିରେ ସମନ୍ୱୟ ମେଳାର ଆୟୋଜନ କରାଯାଇ ମହିଳା ଏସଏଚଜିଗୁଡ଼ିକୁ ବ୍ୟାଙ୍କ ସଂଯୋଗୀକରଣ କରାଯାଇ ୨୪ ହଜାର ୭୪୦ ଲକ୍ଷରୁ ଅଧିକ ଟଙ୍କା ଋଣ ବଣ୍ଟନ କରାଯାଇଛି।
ସମନ୍ୱୟ ମେଳା ପୂର୍ବରୁ ଅକ୍ଟୋବର ୨୭ରୁ ୪ଟି ପର୍ଯ୍ୟାୟରେ ସମସ୍ତ ୧୭ଟି ବ୍ଲକରେ ବ୍ୟାଙ୍କ ସଂଯୋଗୀକରଣ ପାଇଁ ପ୍ରସ୍ତୁତି ବୈଠକ କରାଯାଇଥିଲା। ବିଡିଓମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ୟାଙ୍କର୍ସମାନେ ଉପସ୍ଥିତ ରହି ମହିଳା ଏସଏଚଜିଗୁଡ଼ିକର ବ୍ୟାଙ୍କ ସଂଯୋଗ କରିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରିଥିଲେ। ଏସଏଚଜି ଗୁଡିକୁ ବ୍ୟାଙ୍କ ସଂଯୋଗ ସହ ଋଣ ପ୍ରଦାନ କରି ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ମିଶନ ଶକ୍ତିର ଲକ୍ଷ୍ୟl

