ସ୍ୱରେଜ ପ୍ଲାଣ୍ଟ ନିର୍ମାଣ କାମରେ ଅହେତୁକ ବିଳମ୍ବ ଏବଂ ଦୁର୍ନୀତି ଅଭିଯୋଗ କଲା କଂଗ୍ରେସ।। ପ୍ରତିବାଦରେ ରାଉରକେଲା ସ୍ବେରେଜ ବୋର୍ଡ କାର୍ଯ୍ୟାଳୟ ରେ ତାଲା ପକାଇଲେ କଂଗ୍ରେସ କର୍ମୀ।
ରାଉରକେଲା ରେ ଓଡିଶା ଜଳ ଯୋଗାଣ ଏବଂ ପରିମଳ ପରିଷଦ ଦ୍ୱାରା ଦୀର୍ଘ ପାଞ୍ଚ ବର୍ଷ ହେଲା ଚାଲୁଥିବା ସ୍ବେରେଜ ପ୍ଲାଣ୍ଟ କାମ ସରିବା ନାଁ ନେଉନାହିଁ। ତିନି ବର୍ଷ ମଧ୍ୟରେ କାମ ସମାପ୍ତିର ଅଵିଧି ଥିବାବେଳେ ଏବେ ମଧ୍ୟ ୨୦ ପ୍ରତିଶତ କାମ ବାକି ଥିବା କୁହାଯାଉଛି।
ସ୍ୱରେଜ ପ୍ଲାଣ୍ଟ କାମ କରୁଥିବା ଠିକା କମ୍ପାନୀ ସହ ଓଡିଶା ଜଳ ଯୋଗାଣ ଏବଂ ପରିମଳ ପରିଷଦ ସାଲିସ କରି ଏହି କାର୍ଯ୍ୟ ସମ୍ପାଦନରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ କରିଛି ରାଉରକେଲା ଜିଲ୍ଲା କଂଗ୍ରେସ। ସୋମବାର ଦିନ ଜିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ବିରେନ ସେନାପତି ଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପକ୍ଷରୁ ସ୍ବେରେଜ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ କର୍ମୀମାନେ କାର୍ଯ୍ୟାଳୟ ପ୍ରବେଶ ପଥରେ ତାଲା ମଧ୍ୟ ପକାଇ ଦେଇଥିଲେ। ଏହି ପ୍ରକଳ୍ପର କାମ ମନ୍ଥର ଗତିରେ ଚାଲୁଥିବାରୁ ସହରର ବିଭିନ୍ନ ସ୍ଥାନରେ ଖୋଳା ଯାଇଥିବା ଗର୍ତ୍ତ ଯୋଗୁଁ ରାଉରକେଲା ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ବହୁବାର ଏ ବାବଦରେ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକା କମ୍ପାନୀ ସହ ଆଲୋଚନା ହୋଇଥିଲେ କୌଣସି ଫଳ ମିଳୁନଥିବା ଅଭିଯୋଗ ହୋଇଛି। ବଳକା କାମ ଶୀଘ୍ର ନସାରିଲେ କଂଗ୍ରେସ ପକ୍ଷରୁ କାର୍ଯ୍ୟାଳୟ କୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

