ରାଉରକେଲା ସରକାରୀ ହସପିଟାଲ ମର୍ଗ ହାଉସ ରେ ଦୀର୍ଘ ଦିନରୁ ଲାଗି ରହିଥିବା ଅବ୍ୟବସ୍ଥା ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି। ରବିବାର ଦିନ ହସପିଟାଲ ମର୍ଗ ହାଉସ ରେ କୁକୁର ପଶି ସେଠାରେ ଥିବା ଏକ ଶବକୁ କ୍ଷତ ବିକ୍ଷତ କରି ଖାଇବା ଘଟଣା ଜଣା ପଡିବା ପରେ ଏକ କମିଟି ଏହାର ତଦନ୍ତ କରିବ ବୋଲି ଜଣା ପଡ଼ିଛି।
ତେବେ ଏପରି ଏକ ସ୍ପର୍ଶକାତର ଘଟଣା ମୃତକଙ୍କ ପରିବାରକୁ ଗଭୀର ଆଘାତ ପହଞ୍ଚାଇଥିବା ବେଳେ ହସପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ସବୁ ସ୍ତରରେ ସମାଲୋଚନା କରାଯାଉଛି। ମର୍ଗ ହାଉସରେ ଥିବା ୬ ଟି ଫ୍ରିଜ଼ର ମଧ୍ୟ ଠିକ ଭାବେ କାମ କରିପାରୁନଥିବାରୁ ସେଠାରେ ରଖାଯାଉଥିବା ଶବ ସୁରକ୍ଷିତ ରହିପାରୁନାହିଁ। ଏପରି ସମସ୍ୟା ବାରମ୍ବାର ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରିବାରେ କାହାରି ଆନ୍ତରିକତା ଥିବା ଜଣାପଡୁନାହିଁ। ଯେ କୌଣସି ହସ ପିଟାଲ ରେ ମର୍ଗହାଉସର ଫ୍ରିଜ଼ର ଠିକ ଭାବେ କାମ କରିବା କଥା। ମାତ୍ର ରାଉରକେଲା ସରକାରୀ ହସ୍ପିଟାଲରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଥିବା ବେଳେ
ହସପିଟାଲ କର୍ତ୍ତୃପକ୍ଷ ଏହାକୁ କମ ଗୁରୁତ୍ୱ ଦେଉଥିବା ଜଣାପଡୁଛି। ଏପରି ନୁହଁକି ଅର୍ଥାଭାବ ଯୋଗୁ ହୋଇପାରୁନାହିଁ। ଜିଲ୍ଲା ଖଣିଜ ପାଣ୍ଠି ରୁ ସରକାରୀ ଡାକ୍ତରଖାନାରେ ବିପୁଳ ଅର୍ଥ ବ୍ୟୟ କରାଯାଇ ବହୁ ଉନ୍ନୟନମୂଳକ କାମ ହେଉଛି । ମାତ୍ର ମର୍ଗହାଉସ କୁ ସୁବ୍ୟବସ୍ଥିତ କରିବାକୁ କର୍ତୁପକ୍ଷଙ୍କ ନିଘା ନାହିଁ। ସୂଚନାଯୋଗ୍ୟ ଯେ ଗୋପବନ୍ଧୁପାଲି ର ରାଜେଶ ଯାଦବ ଙ୍କ ଶବ ମର୍ଗହାଉସରେ ଥିବାବେଳେ ତାଙ୍କ ମୁହଁକୁ କୁକୁର ଖାଇଯାଇଥିବା ଅଭିଯୋଗ ହୋଇଥିଲା। ରାଉରକେଲା ଏଡିଏମ ଙ୍କ ନିର୍ଦେଶ କ୍ରମେ ଏକ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଉଛି ବୋଲି ତହସିଲଦାର ଚନ୍ଦ୍ରକାନ୍ତ ମଲିକ ଗତକାଲି କହିଥିଲେ। ତେବେ ତଦନ୍ତ ର ଯାହା ଫଳାଫଳ ବାହାରିବ ତା ଭିନ୍ନ କଥା। କିନ୍ତୁ ମର୍ଗହାଉସ ଖୁବ ଶୀଘ୍ର ସୁବ୍ୟବସ୍ଥିତ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

