ରାଉରକେଲା : ଗତକାଲି ରାଉରକେଲା ସରକାରୀ ହସ୍ପିଟାଲ କ୍ୟାମ୍ପସରୁ ପୋଲିସ କଷ୍ଟଡି ରୁ ଫେରାର ହୋଇଯାଇଥିବା ଦୁଷ୍କର୍ମକାରୀ କାଶ୍ମୀରା ହେମ୍ବ୍ରମକୁ ଆଜି ପୋଲିସ ନିକଟସ୍ଥ ଡ୍ରେନ ମଧ୍ୟରୁ ଧରିବାରେ ସକ୍ଷମ ହୋଇଛି । ଗାଢ଼ାତୋଲା ନିକଟ ଡ୍ରେନରୁ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଏବଂ ରାଉରକେଲା ପୁଲିସର ଏକ ସ୍ୱତନ୍ତ୍ର ସ୍କ୍ୱାଡ଼ ଉକ୍ତ ଦୁଷ୍କର୍ମକାରୀ କୁ ଧରିବାରେ ସଫଳ ହୋଇଛନ୍ତି । ଫେରାର ସମୟରେ କାଶ୍ମୀରା ବାଟ ନ ଜାଣି ପାରି ଡ୍ରେନ ଭିତରେ ଖସି ପଡ଼ିଥିଲା l
ଗତକାଲି ପୁଲିସ ବହୁ ଖୋଜାଖୋଜି କରି କାଶ୍ମୀରା କୁ ପାଇ ନ ଥିଲେ l ଆଜି ସକାଳୁ ଡ୍ରେନ ଭିତରେ ଲୁଚି ଥିବା ସୂଚନା ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ପୋଲିସ l ଧରାପଡିବା ଭୟରେ ରାତି ତମାମ ଡ୍ରେନ ଭିତରେ ରହିଥିବାରୁ ଅଭିଯୁକ୍ତ କାଶ୍ମୀରା କୁ ଆରଜିଏଚରେ ଭର୍ତ୍ତି କରାଯାଇଛି l ଏହି ଘଟଣାରେ କର୍ତ୍ତବ୍ୟ ରେ ଅବହେଳା କରିଥିବା ଅଭିଯୋଗରେ ରାଉରକେଲା ଏସପି ବ୍ରାହ୍ମଣୀତରଙ୍ଗ ଥାନାର ଦୁଇ ଜଣ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି l ଏହା ସହ ତଦନ୍ତକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି l ସୂଚନାଯୋଗ୍ୟ ଯେ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଜଣେ ମହିଳା ଘରର କିଛି ସାମଗ୍ରୀ କିଣିବାକୁ ଆଇଡିସି ବଜାରକୁ ଆସିଥିଲେ। ଯୁବତୀ ଘରକୁ ଫେରିବା ବାଟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ କାଶ୍ମୀର ହେମ୍ବ୍ରମ୍ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ମହିଳା ଜଣକ ବ୍ରାହ୍ମଣୀତରଙ୍ଗ ଥାନାରେ ଏତଲା ଦେଇଥିଲେ। ଏତଲା ହେବାପରେ ପୁଲିସ ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରିଥିଲା। ଗିରଫଦାରୀ ପରେ ଡାକ୍ତରୀମାଇନା ପାଇଁ ଅଭିଯୁକ୍ତକୁ ଆର୍ଜିଏଚ୍କୁ ଆଣିଥିଲେ। ସେଠାରୁ ଅଭିଯୁକ୍ତ ପୋଲିସ କୁ ଚକମା ଦେଇ ଖସି ପଳାଇବାରେ ସକ୍ଷମ ହୋଇଥିଲା ।ଅନ୍ୟ ଏକ ସମରୁପ ଘଟଣାରେ ଗତ ଜୁଲାଇ ମାସରେ ରାଉରକେଲା ସରକାରୀ ଡାକ୍ତରଖାନା କ୍ୟାମ୍ପସ ରୁ ଜଣେ ଦୁଷ୍କର୍ମକାରୀ ମଧ୍ୟ ଫେରାର ହୋଇଯାଇଥିଲେ । ଅବଶ୍ୟ ପୋଲିସ ପରେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଜଘନ୍ୟ ଅପରାଧରେ ଜଡିତ ଅଭିଯୁକ୍ତଙ୍କୁ ମେଡ଼ିକାଲ ଟେଷ୍ଟ ଲାଗି ହସ୍ପିଟାଲ ଆଣିଲା ବେଳେ ପୋଲିସ ଏସକଟ ପାର୍ଟି ଅଧିକ ସତର୍କ ରହିବାକୁ ମତ ପ୍ରକାଶ ପାଉଛି ।