ରାଉରକେଲା : ହାତୀ ଆକ୍ରମଣରେ ପୁଣି ଜଣେ ଗ୍ରାମବାସୀଙ୍କ ମୃତ୍ୟୁ।। ସକାଳେ କ୍ଷେତକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା।
ହାତୀ ଆକ୍ରମଣରେ ଗ୍ରାମବାସୀଙ୍କ ମୃତ୍ୟୁ, ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା
ସୁନ୍ଦରଗଡ଼, ୨୮/୧୧ (ସତ୍ୟାନ୍ୟୁଜ୍): ଗତକାଲି ବଡ଼ଗାଁ ରେ ହାତୀ ଆକ୍ରମଣରେ ଜଣେ ମହିଳା ଫରେଷ୍ଟ ଗାର୍ଡ ଙ୍କ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଯାଇ ନଥିବା ବେଳେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ଖୁଣ୍ଟଗାଁ ଅଞ୍ଚଳରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ୪୪ ବର୍ଷୀୟ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। ମୃତକ କରେକଟ୍ଟା ଗ୍ରାମର ଗିର୍ଜାଟୋଲି ବାସିନ୍ଦା ଫ୍ରାନ୍ସିସ କୁଲ୍ଲୁ।
ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୭ଟାରେ ଫ୍ରାନ୍ସିସ କାମକୁ ଯାଉଥିବା ବେଳେ ରାସ୍ତାରେ ହଠାତ୍ ଏକ ଜଙ୍ଗଲୀ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ଖବର ପାଇ ବନ ବିଭାଗର କର୍ମଚାରୀ ଓ ସ୍ଥାନୀୟ ସରପଞ୍ଚ ସୁମିତ୍ରା ଓରାମ ଘଟଣାସ୍ଥଳରେ ପହଞ୍ଚିଥିଲେ।
ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ ମୋଟ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ। ଅନ୍ତିମ ସଂସ୍କାର ପାଇଁ ତୁରନ୍ତ ୨୦ ହଜାର ଟଙ୍କା, ପୋଷ୍ଟମର୍ଟମ ରିପୋର୍ଟ ପରେ ୧ ଲକ୍ଷ ଟଙ୍କା ଏବଂ ଆବଶ୍ୟକ କାଗଜପତ୍ର ଦାଖଲ ପରେ ଅବଶିଷ୍ଟ ୯ ଲକ୍ଷ ଟଙ୍କା ପ୍ରଦାନ କରାଯିବ।
ହାତୀ – ମଣିଷ ଲଢେଇରେ ଆଉ ଏକ ଅମୂଲ୍ୟ ଜୀବନ ଚାଲିଯିବା ପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।