ସୁନ୍ଦରଗଡ଼ : ଟ୍ରକ୍‌ରେ ପାଉଁଶ, କାର୍‌ରେ ଜିପିଏସ୍‌।। ନକଲି ଲୋକେସନ୍‌ ଦେଖାଇ ଚାଲିଥିଲା କୋଟି କୋଟିର ଠକେଇ।। ୪ ଗିରଫ , ୨ କାର , ୧୮ ଟ୍ରକ୍ , ୨୧ ଜିପିଏସ ଡିଭାଇସ୍ ଜବତ୍।

0 23

ଜିପିଏସ୍‌ ଜାଲିଆତି କରି ପାଉଁଶ ପରିବହନରେ କୋଟି କୋଟି ଟଙ୍କାର ଠକେଇ; ୪ ଗିରଫ
ଟ୍ରକ୍‌ରେ ପାଉଁଶ, କାର୍‌ରେ ଜିପିଏସ୍‌; ନକଲି ଲୋକେସନ୍ ଦେଖାଇ ଉଠାଉଥିଲେ ପୂରା ବିଲ୍
୨୧ଟି ଜିପିଏସ୍‌, ୫୨ଟି ନମ୍ବର ପ୍ଲେଟ୍‌, ୫୯ଟି ଏନ୍‌ଟିପିସି ଚାଲାଣ ଓ ଦୁଇଟି କାର୍‌ ଜବତ

ସୁନ୍ଦରଗଡ଼, ନଭେମ୍ବର ୨୭ (ସତ୍ୟାନ୍ୟୁଜ୍‌): ପାଉଁଶ ପରିବହନ ନାଁରେ ଚାଲିଥିଲା ସୁଚିନ୍ତିତ ଠକେଇ। ଟ୍ରକ୍‌ରେ ପାଉଁଶ ବୋଝେଇ କରି ନିର୍ଦ୍ଦିଷ୍ଟ ଦୂରତା ଯିବା ପରେ ଜିପିଏସ୍‌ ଖୋଲି କାର୍‌ରେ ଲଗାଯାଉଥିଲା। କାର୍‌ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଜିପିଏସ୍‌ ରେକର୍ଡରେ ପରିବହନ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଉଥିଲା। ଅନ୍ୟପଟେ ଟ୍ରକ୍‌ଗୁଡ଼ିକ ରାସ୍ତାକଡ଼ରେ ପାଉଁଶ ଫିଙ୍ଗି ଫେରି ଆସୁଥିଲେ। ଏଭଳି ଜାଲ୍‌ ଡିଜିଟାଲ୍‌ ରେକର୍ଡ ଓ ନକଲି ନମ୍ବର ପ୍ଲେଟ୍‌ ଜରିଆରେ କୋଟି କୋଟି ଟଙ୍କାର ଠକେଇ ଚାଲିଥିବା ଏକ ବଡ଼ ରାକେଟ୍‌ର ପର୍ଦ୍ଦାଫାସ କରିଛି ବଡ଼ଗାଁ ପୁଲିସ।
ଏହି ଘଟଣାରେ ବଡ଼ମାଲସ୍ଥିତ ମା’ ଭଦ୍ରକାଳୀ ଟ୍ରାନ୍ସପୋର୍ଟର ସମ୍ପୃକ୍ତି ସାମ୍ନାକୁ ଆସିଛି। ପୁଲିସ ମାମଲାରେ ବିହାରର ରାମଚନ୍ଦ୍ର କୁମାର ଏବଂ ଝାଡ଼ଖଣ୍ଡର ଭୋଲା କୁମାର, ପ୍ରୀତମ କୁମାର ଓ ଶେଷମଣି ଯାଦବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୁକ୍ତଙ୍କଠାରୁ ୨୧ଟି ଜିପିଏସ୍‌ ଡିଭାଇସ୍‌, ୫୨ଟି ଅତିରିକ୍ତ ନମ୍ବର ପ୍ଲେଟ୍‌, ଏନ୍‌ଟିପିସି ପାଉଁଶ ପରିବହନ ସମ୍ପର୍କିତ ୫୯ଟି ଚାଲାଣ ଓ ଗୋଟିଏ କାର୍‌ ଜବତ କରାଯାଇଛି। ଏହାବ୍ୟତୀତ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରୁ ଗୋଟିଏ ଟାଟା ହ୍ୟାରିୟର କାର୍‌, ୨୯ଟି ଜିପିଏସ୍‌ ଡିଭାଇସ୍‌, କମ୍ପ୍ୟୁଟର ସିପିୟୁ, ୧୦ଟି ନମ୍ବର ପ୍ଲେଟ୍‌ ଓ ୧୨ଟି ରେଜିଷ୍ଟର ଜବତ ହୋଇଛି।
ଶୁକ୍ରବାର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶାନ୍ତା ନୂତନ ସାମଦ ଓ ବଡ଼ଗାଁ ଥାନା ଅଧିକାରୀ ଘଟଣାର ବିସ୍ତୃତ ତଥ୍ୟ ଦେଇଥିଲେ।
ସୂଚନା ଅନୁଯାୟୀ, ଏନ୍‌ଟିପିସି ଦର୍ଲିପାଲି ପାଉଁଶ ପୋଖରୀରୁ ଜରେଇକେଲାକୁ ପାଉଁଶ ପରିବହନ ନେଇ ମା’ ଭଦ୍ରକାଳୀ ଟ୍ରାନ୍ସପୋର୍ଟକୁ ଟେଣ୍ଡର ମିଳିଥିଲା। ତେବେ ପରିବହନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଜାଲିଆତି ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବଡ଼ଗାଁ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ନଭେମ୍ବର ୨୭ ତାରିଖ ଭୋର୍‌ରେ ଗରିଆମାଲ ଛକରେ ଝାଡ଼ଖଣ୍ଡ ନମ୍ବର ଥିବା ଏକ କାର୍‌କୁ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ କାର୍‌ ଭିତରୁ ଜିପିଏସ୍‌ ଡିଭାଇସ୍‌, ୧୭ଟି ଗାଡ଼ି ପାଇଁ ବ୍ୟବହୃତ ୫୨ଟି ଅତିରିକ୍ତ ନମ୍ବର ପ୍ଲେଟ୍‌ ଏବଂ ଜିପିଏସ୍‌ ଅଦଳବଦଳ ସମ୍ପର୍କିତ ତଥ୍ୟ ଥିବା ଏକ ନୋଟ୍‌ବୁକ୍‌ ମିଳିଥିଲା। ଏହାପରେ ପୁଲିସ ତଦନ୍ତକୁ ଜୋରଦାର କରିଥିଲା।
ତଦନ୍ତରୁ ଜଣାପଡ଼ିଥିଲା ଯେ, ପାଉଁଶ ବୋଝେଇ ହାଇୱାଗୁଡ଼ିକ ପ୍ରାୟ ୧୫ରୁ ୨୦ କିଲୋମିଟର ଯିବା ପରେ ସେଥିରେ ଲାଗିଥିବା ଜିପିଏସ୍‌ ଡିଭାଇସ୍‌ ଖୋଲି କାର୍‌ରେ ଲଗାଯାଉଥିଲା। ଏହାଦ୍ୱାରା କାର୍‌ର ଗତିବିଧିକୁ ପାଉଁଶ ପରିବହନ କରୁଥିବା ଟ୍ରକ୍‌ର ଯାତ୍ରା ଭାବେ ଡିଜିଟାଲ୍‌ ରେକର୍ଡରେ ଦର୍ଶାଯାଉଥିଲା। ଫଳରେ ପାଉଁଶ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିବା ଦର୍ଶାଇ ସମ୍ପୂର୍ଣ୍ଣ ପରିବହନ ବିଲ୍‌ ଉଠାଯାଉଥିଲା।
ଏହି ଠକେଇରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି ଏବଂ କେତେ ପରିମାଣର ଅର୍ଥ ହଡ଼ପ ହୋଇଛି, ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ରାକେଟ୍‌ର ଅନ୍ୟ ସଦସ୍ୟଙ୍କୁ ଚିହ୍ନଟ କରି ଗିରଫ କରିବା ସହ ଠକେଇର ସମ୍ପୂର୍ଣ୍ଣ ନେଟ୍‌ୱର୍କ ଉନ୍ମୋଚନ କରିବାକୁ ପୁଲିସ ତନାଘନା ଚଳାଇଛି।

Leave A Reply

Your email address will not be published.