ରାଉରକେଲା : ବିର୍ସା ମୁଣ୍ଡା ଛକ ନିକଟ ରାସ୍ତାର ଦୂରାବସ୍ଥା ନେଇ ଜନ ଅସନ୍ତୋଷ।। ଶୀଘ୍ର ମରାମତି କରିବାକୁ ଆରଏସପି ନିକଟରେ ଦାବି।

0 79

ବିର୍ସା ମୁଣ୍ଡା ଛକ ନିକଟ ଷ୍ଟାଡିୟମ୍ ସମ୍ମୁଖ ରାସ୍ତାର ଶୋଚନୀୟ ଅବସ୍ଥା
ବଡ଼ ବଡ଼ ଗର୍ତ୍ତ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ, ଘଟୁଛି ଦୁର୍ଘଟଣା
ରାଉରକେଲା, ନଭେମ୍ବର ୨୦ (ସତ୍ୟାନ୍ୟୂଜ): ରାଉରକେଲା ସହରର ଏକ ପ୍ରମୁଖ ସ୍ଥାନ ବିର୍ସା ମୁଣ୍ଡା ଛକ ନିକଟ ଷ୍ଟାଡିୟମ୍ ସମ୍ମୁଖ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଯାନବାହନ ଚଳାଚଳରେ ନାନା ସମସ୍ୟା ଉପୁଜୁଛି। ଏପରିକି ଏହି ରାସ୍ତାରେ ବାରମ୍ବାର ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।
ବିର୍ସା ମୁଣ୍ଡା ଛକରୁ ରିଂ ରୋଡ୍‌କୁ ସଂଯୋଗ କରୁଥିବା ଏହି ସବ୍‌ ରୋଡ୍‌ର ମରାମତି ପାଇଁ ସ୍ଥାନୀୟ ବାସିନ୍ଦା ଓ ଅଟୋ ଚାଳକମାନେ ବାରମ୍ବାର ଦାବି କରିଆସୁଛନ୍ତି। ଏନେଇ ରାଉରକେଲା ମହାନଗର ନିଗମ (ଆରଏମସି) ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଉକ୍ତ ରାସ୍ତା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି) ଅଧୀନରେ ଆସୁଥିବାରୁ ମରାମତି କରିବାରେ ନିଜର ଅସହାୟତା ପ୍ରକାଶ କରିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଏ ସମ୍ପର୍କରେ ଆରଏସପି କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଥିଲେ ହେଁ ଏଯାଏଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୁଇଟି ସଂସ୍ଥା ମଧ୍ୟରେ ଦାୟିତ୍ୱକୁ ନେଇ ଟଣାଓଟରା ଭିତରେ ସାଧାରଣ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି।
ବିର୍ସା ମୁଣ୍ଡା ଛକ ରାଉରକେଲା ସହରର ଏକ ଗୁରୁତ୍ୱପୂର୍ଣ୍ଣ ଯାତାୟାତ କେନ୍ଦ୍ର ହୋଇଥିବାରୁ ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଆରଏସପି କର୍ତ୍ତୃପକ୍ଷ ତୁରନ୍ତ ରାସ୍ତା ମରାମତି କରିବା ସହ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.