ରାଉରକେଲା: ରାଉରକେଲାରେ ବଡ଼ ଧରଣର ଅନ୍ତରଜ୍ୟ ଡ୍ରଗ୍ସ ରାକେଟ୍ ଠାବ।। କଫ୍ ସିରପ୍ ସହ ବନ୍ଧୁକ ଚୋରା ଚାଲାଣର ପର୍ଦ୍ଦାଫାଶ, ୨ ଗିରଫ।।୨ ପିସ୍ତଲ୍ ନଗଦ ୧୧ ଲକ୍ଷ ଜବତ୍।

0 100

ରାଉରକେଲାରେ ଆନ୍ତଃରାଜ୍ୟ କଫ୍ ସିରପ୍ ଓ ବନ୍ଧୁକ ଚୋରା ଚାଲାଣ ରାକେଟ୍ ଠାବ
ଦୁଇ ଗିରଫ, ୨ଟି ପିସ୍ତଲ, ଜୀବନ୍ତ ଗୁଳି ଓ ୧୧.୬୩ ଲକ୍ଷ ଟଙ୍କା ଜବତ। ୪ ମାସରେ ୫୦ ହଜାରରୁ ଅଧିକ ବୋତଲ କଫ୍ ସିରପ୍ ଚାଲାଣ ଅଭିଯୋଗ।
ରାଉରକେଲା, ୨୦/୧୧ (ସତ୍ୟାନ୍ୟୁଜ): ରାଉରକେଲାରେ ଏକ ବଡ଼ ଆନ୍ତଃରାଜ୍ୟ କଫ୍ ସିରପ୍ ଓ ବେଆଇନ ବନ୍ଧୁକ ଚୋରା ଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ କରିଛି ପ୍ଲାଣ୍ଟସାଇଟ୍ ପୋଲିସ। ଶୁକ୍ରବାର ସକାଳେ ବିର୍ସା ଛକରେ ନାକା ଚେକିଂ ବେଳେ ଏକ ମାରୁତି ବ୍ରିଜା କାର୍‌କୁ ଅଟକାଇ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ।
ଗାଡ଼ି ଯାଞ୍ଚ ବେଳେ ଦୁଇଟି ଦେଶୀ ପିସ୍ତଲ, ଦୁଇ ରାଉଣ୍ଡ ଜୀବନ୍ତ ଗୁଳି, ନଗଦ ୧୧ ଲକ୍ଷ ୬୩ ହଜାର ଟଙ୍କା, ତିନୋଟି ମୋବାଇଲ ଫୋନ୍ ଏବଂ WINCEREX ବ୍ରାଣ୍ଡର କଫ୍ ସିରପ୍ କାରବାର ସମ୍ପର୍କିତ କାଗଜପତ୍ର ଜବତ ହୋଇଛି। OD-14AA-0279 ନମ୍ବର ବିଶିଷ୍ଟ ବ୍ରିଜା କାର୍‌ଟିକୁ ମଧ୍ୟ ପୋଲିସ ଜବତ କରିଛି।
ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମୁସଲିମପଡ଼ାର ମହମ୍ମଦ ସଦ୍ଦାମ (୩୪) ଏବଂ ସମ୍ବଲପୁର ଜିଲ୍ଲା ବୁର୍ଲା ତିୱାରପଡ଼ାର ତ୍ରିବିକ୍ରମ ସୁନା (୨୮)।
ପୋଲିସର ପଚରାଉଚରାରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଓଡ଼ିଶା ବାହାରୁ ବିଭିନ୍ନ ପରିବହନ ସଂସ୍ଥା ଜରିଆରେ ବେଆଇନ କଫ୍ ସିରପ୍ ଆଣି ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଯୋଗାଣ କରୁଥିଲେ।
ପୋଲିସର ସୂଚନା ଅନୁସାରେ, ଏହି ରାକେଟ୍‌ର ମୁଖ୍ୟ କାର୍ପଟଦାର ବୋଲି ସନ୍ଦେହ କରାଯାଉଥିବା ମହମ୍ମଦ ସଦ୍ଦାମ ଗତ ଚାରି ମାସ ମଧ୍ୟରେ ରାଜ୍ୟ ବାହାରୁ ୫୦ ହଜାରରୁ ଅଧିକ ବୋତଲ କଫ୍ ସିରପ୍ ଆଣିଥିବା ଅଭିଯୋଗ ହୋଇଛି। ଜାଲ୍ କାଗଜପତ୍ର ବ୍ୟବହାର କରି ବିଭିନ୍ନ ଜିଲ୍ଲାକୁ ଏହି ସିରପ୍ ଚାଲାଣ କରାଯାଉଥିଲା।
ତଦନ୍ତରୁ ଆହୁରି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। କଫ୍ ସିରପ୍ ବେଆଇନ କାରବାରରୁ ମିଳୁଥିବା ଟଙ୍କାରେ ବିହାରରୁ ବନ୍ଧୁକ କିଣାଯାଉଥିବା ପୋଲିସ ସନ୍ଦେହ କରୁଛି। ଏହି ବନ୍ଧୁକଗୁଡ଼ିକୁ ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ସମେତ ଅନ୍ୟ ଅଞ୍ଚଳକୁ ଚାଲାଣ କରାଯାଉଥିବା ଅଭିଯୋଗ ରହିଛି।
ଏହି ଘଟଣାରୁ ଆନ୍ତଃରାଜ୍ୟ କଫ୍ ସିରପ୍ ଚୋରା କାରବାର ଓ ବେଆଇନ ଅସ୍ତ୍ର ଚାଲାଣ ମଧ୍ୟରେ ଥିବା ସମ୍ଭାବ୍ୟ ସମ୍ପର୍କ ପଦାକୁ ଆସିଛି। ରାକେଟ୍‌ରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବା, ଆର୍ଥିକ କାରବାରର ଖୋଳତାଡ଼ କରିବା ଏବଂ ବନ୍ଧୁକର ଉତ୍ସ ଓ ଚାଲାଣ ନେଇ ଅଧିକ ତଥ୍ୟ ହାସଲ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ଜବତ ସାମଗ୍ରୀ:
୨ଟି ଦେଶୀ ପିସ୍ତଲ
୨ ରାଉଣ୍ଡ ଜୀବନ୍ତ ଗୁଳି
ନଗଦ ୧୧,୬୩,୦୦୦ ଟଙ୍କା
୩ଟି ମୋବାଇଲ ଫୋନ୍
ଗୋଟିଏ ମାରୁତି ବ୍ରିଜା କାର୍
କଫ୍ ସିରପ୍ କାରବାର ସମ୍ପର୍କିତ କାଗଜପତ୍ର
ରାକେଟ୍‌ର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.