ସୁନ୍ଦରଗଡ଼ : ସମ୍ଭାବ୍ୟ ବାତ୍ୟା କୁ ନେଇ ଜିଲ୍ଲାରେ ପ୍ରସ୍ତୁତି।। ଆଭାସି ମାଧ୍ୟମରେ ଜିଲ୍ଲାର ଅଧିକାରୀ ମାନଙ୍କ ସହ କଥା ହେଲେ ଜିଲ୍ଲାପାଳ।
ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
ସୁନ୍ଦରଗଡ଼ : ୨୪/୧୦ (ସତ୍ୟାନ୍ୟୁଜ) ସମ୍ଭାବ୍ୟ ବାତ୍ୟା “ଦାନା” ନେଇ ଆଜି ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ବୈଠକ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ମନୋଜ ମହାଜନ ବୈଠକ ରେ ଅଧ୍ୟକ୍ଷତା କରିବା ସହିତ ଜିଲ୍ଲା ର ପ୍ରତ୍ୟେକ ବିଭାଗ ର ଅଧିକାରୀ ମାନଙ୍କର ଏଥି ନିମନ୍ତେ ଥିବା ପ୍ରସ୍ତୁତି ର ସମୀକ୍ଷା କରିଥିଲେ। ସେହିଭଳି ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କୁ ପ୍ରତ୍ୟେକ ଦୁଇ ଘଣ୍ଟାରେ ଜିଲ୍ଲା ମୁଖ୍ୟାଳୟକୁ ନିଜ ନିଜ ଅଞ୍ଚଳ ର ବର୍ଷା ର ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି କୌଣସି ଆପତକାଳୀନ ପରିସ୍ଥିତ ଆସିଲେ ତତ୍ କ୍ଷଣାତ୍ ଉପରିସ୍ଥ ଅଧିକାରୀ କିମ୍ବା ଜିଲ୍ଲା ମୁଖ୍ୟାଳୟ କୁ ଅବଗତ କରିବାକୁ କହିଥିଲେ। ସେହିପରି ଆଶ୍ରୟ ଗୃହ ଗୁଡ଼ିକ ଚିହ୍ନଟ କରିବା ସହିତ ସେଗୁଡିକୁ ପ୍ରସ୍ତୁତ ରଖିବାକୁ ରାଉରକେଲା ମହାନଗର ନିଗମ ଆୟୁକ୍ତ, ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ସମସ୍ତ ପୌରପାଳିକା ର ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅଧିକାରୀ ମାନେ ନିଜ ନିଜ ଅଞ୍ଚଳ ରେ ଆଶ୍ରୟ ସ୍ଥଳ ସୁନିଶ୍ଚିତ କରିଥିବା ସୂଚନା ଦେଇଥିଲେ ଏବଂ ଆବଶ୍ୟକ ସ୍ଥଳେ ଆହୁରି ମଧ୍ୟ ଆଶ୍ରୟ ସ୍ଥଳ ପ୍ରସ୍ତୁତ କରିବାକୁ ସୂଚନା ଦେଇଥିଲେ। ବିପର୍ଯ୍ୟୟ ର ସମୟ ରେ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଯୋଗାଇବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ନିର୍ବିଛିନ୍ନ ଯୋଗାଯୋଗ ବ୍ୟବସ୍ଥା , ବିଦ୍ୟୁତ୍ ସେବା ଆଦି ଉପରେ ଜିଲ୍ଲାପାଳ ଶ୍ରୀ ମହାଜନ ଗୁରୁତ୍ଵାରୋପ କରିଥିଲେ । ସେହିପରି କୌଣସି କ୍ଷତି ଘଟିଥିଲେ ପୁନରୁଦ୍ଧାର କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ଅଗ୍ନିଶମ ବିଭାଗ ଏବଂ ଓଡରାଫ କୁ ନିର୍ଦ୍ଦେଶ ଦେଇଥିଲେ। ଗଛ ଆଦି ଭାଙ୍ଗି ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ କିମ୍ବା ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେଲେ କିଭଳି ଭାବେ ତ୍ୱରିତ ପଦକ୍ଷେପ ଗ୍ରହଣ କରି ତାହାକୁ ଠିକ୍ କରାଯାଇପାରିବ ସେନେଇ ବିଭାଗୀୟ ଅଧିକାରୀ ଙ୍କୁ ବିଶେଷ ଧ୍ୟାନ ଦେବାକୁ କହିଥିଲେ ଏବଂ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଆବଶ୍ୟକୀୟ ଉପକରଣ ଆଦି ପ୍ରସ୍ତୁତ ରଖିବାକୁ କୁହାଯାଇଥିଲା।
ସେହିପରି ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଆବଶ୍ୟକ ପରିମାଣ ରେ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ , ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କୁ ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟ ରେ ବିଦ୍ୟାଳୟ ତଥା ହଷ୍ଟେଲ, ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କର ପରିଚାଳନା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିଲା ତାହା ସହିତ କୌଣସି କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯେଭଳି ବିନା ଅନୁମତି ରେ ଛୁଟି ରେ
ନଯିବେ ସେଥି ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷ ରୁ ହସ୍ପିଟାଲ ମାନଙ୍କରେ ଆବଶ୍ୟକୀୟ ଔଷଧ, ଓ ଆର୍ ଏସ ପ୍ୟାକେଟ, ସାପ କାମୁଡା ଇଞ୍ଜେକସନ, ହସ୍ପିଟାଲ ବେଡ୍ ଆଦି ପ୍ରସ୍ତୁତ ରହିଥିବା ସୂଚନା ଦେଇଥିଲେ। ଏଥି ସହିତ ସମସ୍ତ ଆଶା କର୍ମୀ ଏବଂ ଉପ କେନ୍ଦ୍ର ମାନଙ୍କରେ ମଧ୍ୟ ଆବଶ୍ୟକୀୟ ଔଷଧ ମହଜୁଦ ରହିଥିବା କହିଥିଲେ ଏବଂ ସମସ୍ତ ସ୍ବାସ୍ଥ୍ୟ କର୍ମୀ ମଧ୍ୟ ପ୍ରସ୍ତୁତ ଥିବା କହିଥିଲେ। ସେହିପରି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ମଧ୍ୟ ସମ୍ଭାବ୍ୟ ବିପର୍ଯ୍ୟୟ ନିମନ୍ତେ ନିଜ ବିଭାଗ ପ୍ରସ୍ତୁତ ଥିବା ବୈଠକ କୁ ଅବଗତ କରାଇଥିଲେ। ପ୍ରାଣୀ ମାନଙ୍କର ଖାଦ୍ୟ, ଔଷଧ ଆଦି ମହଜୁଦ ଥିବା ସୂଚନା ଦେଇଥିଲେ। ମୋବାଇଲ ଚିକିତ୍ସା ଗାଡ଼ି ମଧ୍ୟ ପ୍ରସ୍ତୁତ ଥିବା କହିଥିଲେ।
ବିପର୍ଯ୍ୟୟ ପରିଚାଳନା ନିମନ୍ତେ ସମସ୍ତ ବ୍ଲକ୍, ପୌରପାଳିକା, ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ଗୁଡିକରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରୁଅଛି। ସେହିପରି ଜିଲ୍ଲା କାର୍ଯ୍ୟାଳୟ ଠାରେ ମଧ୍ୟ ଏକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ ହେଉଅଛି , ଏହାର ଟୋଲ ଫ୍ରୀ ନମ୍ବର ହେଉଛି 06622-272233
345 7461 / 1077 , ଆବଶ୍ୟକ ସ୍ଥଳେ ଜନସାଧାରଣ ଏହି ନମ୍ୱର ରେ ଯୋଗାଯୋଗ କରି ପାରିବେ ।