ରାଉରକେଲା : ବିରମିତ୍ରପୁରରେ ଦୁର୍ଘଟଣାରେ ମୃତ ଯୁବକଙ୍କ ନିକଟରୁ ଏକ ପିସ୍ତଲ୍ ଏବଂ ୬ ରାଉଣ୍ଡ ଗୁଳି ମିଳିଛି।। ଯୁବକ ଜଣଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଛି।
ବିରମିତ୍ରପୁର : ୧୧/୯(ସତ୍ୟାନ୍ୟୂଜ) ବିରମିତ୍ରପୁରରେ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବାଇକ୍ ଆରୋହୀଙ୍କ ପାଖରୁ ଏକ ଲୋଡେଡ୍ ପିସ୍ତଲ ମିଳିଛି। ଯୁବକ ଜଣକ ୬ ରାଉଣ୍ଡ ଗୁଳି ଭରା ପିସ୍ତଲ୍ ନେଇ କୁଆଡେ ଯାଉଥିଲେ ପୋଲିସ ତାର ତଦନ୍ତ କରୁଛି। ମୃତ ଯୁବକଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି। ମୃତ ଯୁବକଙ୍କ ନିକଟରୁ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଏକ ମୋବାଇଲ୍ ଫୋନ ମଧ୍ୟ ଜବତ ହୋଇଛି। ତାଙ୍କର ଅନ୍ୟ ଜଣେ ସହଯୋଗୀ ମୁକେଶ ସାହୁଙ୍କୁ ପୋଲିସ ଖୋଜୁଛି। ମୁକେଶ ଙ୍କ ନାମରେ ମଧ୍ୟ ପୂର୍ବରୁ ଅପରାଧିକ ମାମଲା ରହିଛି।
ମୃତକ କୁତ୍ରା ଥାନା ଅଞ୍ଚଳର ୨୨ ବର୍ଷୀୟ ସଚିନ୍ ସାହୁ ବୋଲି ଜଣା ପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସଚିନ୍ ବାଇକ୍ ରେ ଦୃତ ଗତିରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବାଇକ୍ ଟି ଏକ ଗଛରେ ପିଟି ହୋଇଗଲା ପରେ ସଚିନ୍ ରୋଡ ଉପରେ ଛିଟିକି ପଡ଼ିଥିଲେ। କେଉଁ ପରିପ୍ରେକ୍ଷୀରେ ଏହି ଦୁର୍ଘଟଣା ଘଟିଲା ତାହା ପୋଲିସ ତଦନ୍ତ କରୁଛି। ମୃତକଙ୍କ ନିକଟରୁ ଏକ ଆଧାର କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ମିଳିବା ପରେ ସେ ସଚିନ୍ ସାହୁ ବୋଲି ଜଣା ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସଚିନ୍ ଙ୍କୁ ତୁରନ୍ତ ବିରମିତ୍ରପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଜଣେ ୨୨ ବର୍ଷୀୟ ଯୁବକ ପିସ୍ତଲ୍ ନେଇ କୁଆଡେ ଯାଉଥିଲେ ତା ତଦନ୍ତ ପରେ ଜଣା ପଡ଼ିବ।