ରାଉରକେଲ : ୧୮/୪ (ସତ୍ୟାନ୍ୟୁଜ) ଟ୍ରାଭେଲ୍ସ ସଂସ୍ଥାରେ ଗାଡ଼ି ଭଡ଼ାରେ ଲଗାଇବାକୁ କହି ବିକ୍ରି କରିଦେବା ଘଟଣାରେ ପୁଲିସ୍କୁ ସଫଳତା ମିଳିଛି। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା , କୋଲାବିରାରୁ ଥାନା ଓ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରୁ ୩୦ଟି ଗାଡ଼ି ପୁଲିସ୍ ଉଦ୍ଧାର କରିଛି। ସଂପୃକ୍ତ ଟ୍ରାଭେଲ୍ସ ସଂସ୍ଥାର ଏଜେଣ୍ଟ ସାଜି ଗାଡ଼ି ବିକ୍ରି କରିଥିବା ଅଭିଯୋଗରେ କୋଲାବିରା ଥାନା ଅନ୍ତର୍ଗତ ପୁଖରସାଲ୍ହେ ଗାଁର ଚନ୍ଦ୍ରଶେଖର ମହାନନ୍ଦ (୩୦) ଏବଂ କ୍ଷୀରୋଦ ଛଚାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାଛଡା ଅନ୍ୟବ୍ଯନେ ଅଭିଯୁକ୍ତ କ୍ଷୀରୋଦ କୁମାର।ପଢିଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ୩ ନମ୍ବର ସେକ୍ଟର ଥାନା ପୋଲିସ। ଏହି ଘଟଣାରେ ଜଡ଼ିତ ଦମ୍ପତି ଫେରାର ଅଛନ୍ତି।
ସମ୍ବଲପୁର ଜିଲ୍ଲା ରେଂଗାଲି ଥାନା ଅଞ୍ଚଳରେ ମଧ୍ୟ କିଛି ଗାଡ଼ି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେଣୁ ସ୍ଥାନୀୟ ପୁଲିସ ସହାୟତାରେ ରାଉରକେଲା ସେକ୍ଟର-୩ ପୁଲିସ୍ ରେଂଗାଲି ସମେତ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅବଶିଷ୍ଟ ଗାଡ଼ି ଉଦ୍ଧାର ପାଇଁ ଛାନ୍ଭିନ୍ ଜାରି ରଖିଛି। ଏହି ବଡ଼ଧରଣର ଠକେଇର ଚେର ରାଉରକେଲାରୁ ଝାରସୁଗୁଡ଼ା ଓ ସମ୍ବଲପୁରକୁ ଲମ୍ବିଛି। ଠକ ଦଳ ପାଖାପାଖି ୭୦ ଜଣ ଗାଡ଼ି ମାଲିକଙ୍କୁ ଚୂନ ଲଗେଇଛନ୍ତି। ସାରନଗରୀ ଅଞ୍ଚଳର ତିନି ଅଭିଯୁକ୍ତ ଏଜେଣ୍ଟ ମାନଙ୍କ ସହାୟତାରେ ଗାଡ଼ିଗୁଡ଼ିକୁ ଉପରୋକ୍ତ ଅଞ୍ଚଳରେ ବିକ୍ରି କରିଦେଇଛନ୍ତି।
ତିନି ଅଭିଯୁକ୍ତ ସତ୍ୟଭାମା ଦାଶ ଓ ତାଙ୍କ ସ୍ବାମୀ ସରୋଜ କୁମ୍ଭାର ଏବଂ ରଜତ ପାଢ଼ୀ ୨୦୨୨ ଶେଷ ଆଡ଼କୁ ଏହି ଅଭିନବ ଉପାୟରେ ଠକାମି ପାଇଁ ନୂଆ ଯୋଜନା କରିଥିଲେ। ଝାରସୁଗୁଡ଼ାର ପ୍ରତିଷ୍ଠିତ ‘ଦେବାଂଶ ଟ୍ରାଭେଲ୍ସ’ର ଫ୍ରାଞ୍ଚାଇଜ୍ ଆଣିଥିବା କହି ରାଉରକେଲା, ସାରନଗରୀ, ବନ୍ଧମୁଣ୍ଡା ଆଦି ଅଞ୍ଚଳର ଗାଡ଼ି ମାଲିକଙ୍କୁ ଜାଲରେ ଫସାଇଥିଲେ। ଦୈନିକ ୧ ହଜାର ଟଙ୍କା ଦେବାର ଲୋଭ ଦେଖାଇ ସହରର ପ୍ରାୟ ୭୦ରୁ ଅଧିକ ଗାଡ଼ି ମାଲିକଙ୍କୁ ପ୍ରଭାବିତ କରିଥିଲେ। ପରେ ସେମାନେ ନିଜନିଜ ଗାଡ଼ିକୁ ଏହି ଠକସଂସ୍ଥାରେ ଲଗାଇଥିଲେ। ଠକଦଳ ପ୍ରଥମ କିଛି ମାସ ଭଡ଼ା ଦେଇଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ଆଉ ଧରାଛୁଆଁ ଦେଇନଥିଲେ। ବାସ୍ତବରେ ଏହି ଠକମାନେ ଉକ୍ତ ଗାଡ଼ିକୁ କିଛି ମାସ ଭଡ଼ାରେ ଲଗାଇବାପରେ ଯଥେଷ୍ଟ କମ୍ ଦାମ୍ରେ ବିକ୍ରି କରିଦେଇଥିଲେ। କେବଳ ଝାରସୁଗୁଡ଼ା କୋଲାବିରା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ୩୦ରୁ ଅଧିକ ବ୍ୟକ୍ତିଙ୍କୁ ଗାଡ଼ି ବିକ୍ରି କରିଥିବା ଜଣାପଡ଼ିଛି। ଠକାମି ନେଇ ସୂଚନା ପାଇବାପରେ ସୋମବାର ସନ୍ଧ୍ୟାରେ ଗାଡ଼ିମାଲିକମାନେ ସେକ୍ଟର-୩, ଛେଣ୍ଡ୍, ଟାଙ୍ଗରପାଲି ଆଦି ବିଭିନ୍ନ ଥାନାରେ ଏତଲା ଦେଇଥିଲେ। ବିନା କାଗଜପତ୍ରରେ ଏହି ଗାଡ଼ି କାରବାର ହୋଇଥିବାରୁ ଗାଡ଼ି କିଣିଥିବା ଲୋକଙ୍କ ବିରୋଧରେ ବି ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ରହିଛି।