ରାଉରକେଲା : ୪ ଲକ୍ଷ ଟଙ୍କା ମୂଲ୍ୟର ନକଲି ବିଦେଶୀ ମଦ ଜବତ କଲେ ଅବକାରୀ ବିଭାଗ।। କାର ,ସ୍କୁଟି ଜବତ।। ଅଭିଯୁକ୍ତ ଗିରଫ।
ରାଉରକେଲା : ୧୬/୪ (ସତ୍ୟାନ୍ୟୁଜ) ରାଉରକେଲା ଅବକାରୀ ବିଭାଗ ଏକ ନକଲି ମଦ ରାକେଟ୍ ର ପର୍ଦ୍ଦାଫାସ କରିଛି। ଝାଡଖଣ୍ଡରୁ ଆଣି ଓଡ଼ିଶାର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିଲା ଏହି ନକଲି ମଦ। ଓଡ଼ିଶାରେ ତିଆରି ହେଉଥିବା ନକଲି ମଦକୁ ରାସ୍ତା ପାର୍ଶ୍ୱ ଢ଼ାବା ଓ ହୋଟେଲ୍କୁ ଯୋଗା ଯାଉଥିଲା। ଚଢ଼ାଉରେ ଅବକାରୀ ବିଭାଗ ୪ ଲକ୍ଷ ଟଙ୍କାର ନକଲି ମଦ ଏବଂ ମଦ ପ୍ୟାକିଂ ସାମଗ୍ରୀ ଜବତ କରିଛି। ଏହାସହ ମଦ ଚାଲାଣ କରାଯାଉଥିବା ବେଳେ ଏକ କାର ଏବଂ ସ୍କୁଟି ଜବତ କରିଛି ଅବକାରୀ ବିଭାଗ। ନିୟମିତ ଭାବେ ମଦ ବ୍ୟବସାୟ କରୁଥିବା ବଳଭଦ୍ର ପାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି।
ବଣାଇଗଡ଼ ଥାନା ଭାଙ୍ଗଡିହି ଗାଁରେ ନକଲି ମଦ କାରବାର ହେଉଥିବା ରାଉରକେଲା ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହାପରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ମଙ୍ଗଳବାର ସକାଳେ ଉକ୍ତ ଗାଁରେ ଚଢ଼ଉ ପାଇଁ ଯାଇଥିଲେ। ହେଲେ ସେହି ସମୟରେ ଗାଁ ପଡ଼ିଆରେ ଏକ କାର୍ରୁ ସ୍କୁଟିକୁ ମଦ ଟ୍ରାନ୍ସଫର ହେଉଥିଲା। ଏହା ଦେଖି ଅବକାରୀ ବିଭାଗ ଟିମ୍ ମଦ ମାଫିଆ ବଳଭଦ୍ର ପାତ୍ରକୁ ମାଡ଼ି ବସିଥିଲେ। ତା’ଙ୍କ ପାଖରୁ ନକଲି ମଦ, ଗୋଟିଏ କାର୍, ସ୍କୁଟି ଓ ମୋବାଇଲ୍ ଜବତ କରିଛି ଅବକାରୀ ବିଭାଗ।
ଜବତ ହୋଇଥିବା ନକଲି ମଦର ମୂଲ୍ୟ ୪ ଲକ୍ଷ ଅଧିକ ଟଙ୍କା ହେବ। ଏଥିସହ ମଦ ପ୍ୟାକିଂ ହେଉଥିବା ବୋତଲ, ବିଭିନ୍ନ କମ୍ପାନୀର ଲେବ୍ଲ, ଷ୍ଟିକର ପ୍ରମୁଖ ଜବତ କରାଯାଇଛି।
ରାଉରକେଲା ଅବକାରୀ ଅଧିକାରୀ ଅର୍ଚ୍ଚନା ବାରିକଙ୍କ କହିବା ଅନୁସାରେ ବଳଭଦ୍ର ପାତ୍ର ଝାଡ଼ଖଣ୍ଡରୁ ନକଲି ମଦ ଆଣି ଏଠାରେ ଅନ୍ୟାନ୍ୟ ସାମଗ୍ରୀ ମିଶ୍ରଣ କରୁଥିଲା। ତା’ପରେ ବୋତଲରେ ଭର୍ତ୍ତି କରି ଷ୍ଟିକରିଂ କରିବା ପରେ ବିଭିନ୍ନ ହୋଟେଲ୍ ଓ ଢ଼ାବାକୁ ଯୋଗାଉଥିଲା। ଏହି ମଦ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ଢ଼ାବାକୁ ଯାଇଥିବା ଅଭିଯୁକ୍ତ ସ୍ୱୀକାର କରିଛି।
ବଳଭଦ୍ର ପାତ୍ର ନକଲି ମଦ ତିଆରି କରି ଗିରଫ ହେବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଗିରଫ ହୋଇଛି। ସେଥିପାଇଁ ଜେଲ୍ ଯାଇଛି। ପରବର୍ତ୍ତୀ ସମୟରେ ଜେଲ୍ରୁ ବାହାରି ନକଲି ମଦ କାରବାରରେ ଲିପ୍ତ ରହୁଥିଲା ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।