ସୁନ୍ଦରଗଡ : ନିର୍ଯ୍ୟାତନା ସହି ନପାରି ହଷ୍ଟେଲ ଛାତରୁ ଡେଇଁ ନାବାଳିକା ଛାତ୍ରୀ ଆତ୍ମହତ୍ୟା ମାମଲା।। ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ୧୦ ବର୍ଷ ଜେଲ୍।

0 357

ସୁନ୍ଦରଗଡ଼ : ୩/୪ (ସତ୍ୟାନ୍ୟୁଜ) ଶାରୀରିକ ଏବଂ ମାନସିକ ସ୍ତରରେ ନିର୍ଯ୍ୟାତନା ସହି ନପାରି ଜଣେ ନାବାଳିକା ଛାତ୍ରୀ ୨୦୨୨ ଏପ୍ରିଲ ୧ ତାରିଖ ଦିନ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ମାମଲାର ବିଚାର କରି ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ୭୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଜରିମାନା ଅନାଦେୟ ଆଉ ୭ ମାସ ଜେଲ ଦଣ୍ଡାଦେଶ ହୋଇଛି।
ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ପଟୁଆଡ଼ିହି ହାଇସ୍କୁଲର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ୨୦୨୨ ମସିହା ଏପରି ୧ ତାରିଖରେ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଟେଲ ଉକ୍ତ ନାବାଳିକା ଛାତ୍ରୀଙ୍କୁ ଶାରିରୀକ ତଥା ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ସେତେବେଳେ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡବିଧାନ କରିବାକୁ ଓକିଲ ସଂଘ ଏବଂ ସିଭିଲ ସୋସାଇଟି ପକ୍ଷରୁ ଏସପିଙ୍କ ନିକଟରେ ଦାବି କରା ଯାଇଥିଲା। ଏହି ମାମଲାର ଯାଞ୍ଚ ଦାଇତ୍ୱ ସୁନ୍ଦରଗଡ଼ର ତତ୍କାଳୀନ ଡ଼ିଏସପି ପ୍ରଭାତ କୁମାର ବିଶ୍ବାଳଙ୍କୁ ଦିଆ ଯାଇଥିଲା। ଏକ ମାସ ମଧ୍ୟରେ ଯାଞ୍ଚ ଅଧିକାରୀ ଶ୍ରୀ ବିଶ୍ୱାଳ ୪୦୦ ପୃଷ୍ଠାର ଚାର୍ଜଶୀଟ୍ ଦାଖଲ କରିଥିଲେ।
ଏହି ମାମଲାର ବିଚାର କରି ଆଜି ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଟେଲଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ।କରିଛନ୍ତି। ଏହି ମାମଲାରେ ଦଣ୍ଡ ବିଧାନ ପରେ ମୃତକ ଛାତ୍ରୀଙ୍କ ମା ଆଡଭୋକେଟ ଯାଜ୍ଞସେନି ନାୟକ ନିଜର ସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ମାମଲାରେ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.