ମୟୁରଭଞ୍ଜ : ଆନ୍ତଃ ବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗୀତରେ ଦ୍ରୌପଦୀ ଉଚ୍ଚ ବିଦ୍ୟାଳୟ ଦେଶରେ ପ୍ରଥମ।। ଦିଲ୍ଲୀରୁ ଫେରିବା ପରେ ଦଳକୁ ବିପୁଳ ସମ୍ବର୍ଦ୍ଧନା।
ମୟୁରଭଞ୍ଜ : ୨୮/୧ (ସତ୍ୟାନ୍ୟୁଜ) ନୂଆଦିଲ୍ଲୀ ଠାରେ ଗତ ୨୧ ଓ ୨୨ ତାରିଖ ଦୁଇଦିନ ଧରି ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ ପାଇପ୍ ବ୍ୟାଣ୍ଡ ବାଳିକା ବିଭାଗରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ପରେ ଏହି ଟିମ୍ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଠାକୁରମୁଣ୍ଡା ବ୍ଲକ ନିଶାପୋଷି ସ୍ଥିତ ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ ଜାତୀୟସ୍ତରରେ ଓଡିଶା ପାଇଁ ଗୌରବ ଆଣିଛନ୍ତି । ଏହି ଗୌରବର ଅଧିକାରୀ ହୋଇଥିବାରୁ ଗଣଶିକ୍ଷା ବିଭାଗ ବାଳିକା ଦଳକୁ ସମ୍ବଦ୍ଧିତ କରିଛି । ନୂଆଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଆନ୍ତଃ ବିଦ୍ୟାଳୟସ୍ତରୀୟ ପାଇପ ବ୍ୟାଣ୍ଡ ପ୍ରତିଯୋଗିତାରେ ସମଗ୍ର ଦେଶରେ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଦଖଲ କରିଥିଲା। ଗତ ନଭେମ୍ବର ୧୬ ତାରିଖରେ ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ଏବଂ ଡିସେମ୍ବର ୨୨ ତାରିଖରେ ପୂର୍ବ ଜୋନସ୍ତରରେ ମଧ୍ୟ ପ୍ରଥମ ସ୍ଥାନ ଦଖଲ କରି ଜାତୀୟସ୍ତରକୁ ମନୋନୀତ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ କେନ୍ଦ୍ର ସରକାରଙ୍କ ବିଦ୍ୟାଳୟ ଓ ସାକ୍ଷରତା ସଚିବ ସଞ୍ଜୟ କୁମାରଙ୍କ ଠାରୁ ମାନପତ୍ର, ଟ୍ରଫି ଓ ଅର୍ଥ ରାଶି ପୁରସ୍କାର ଗ୍ରହଣ କରିବା ପରେ ଅଧିକ ଉତ୍ସାହିତ ହୋଇଛନ୍ତି ଏହି ଟିମ୍। ଏହି ସଫଳତା ସମସ୍ତଙ୍କ ମନୋବଳକୁ ସୁଦୃଢ କରିବ ଏବଂ ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଥିଲେ ଆୟୋଜକ।
ଜାତୀୟ ସ୍ତରରେ ଓଡିଶା ପାଇଁ ଗୌରବ ଆଣିଥିବା ଠାକୁରମୁଣ୍ଡା ବ୍ଲକ ଦ୍ରୋପଦୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମାନେ ଏବେ କରଞ୍ଜିଆ ଫେରିଛନ୍ତି। କରଞ୍ଜିଆ ରେ ଉକ୍ତ ଦଳ ପହଞ୍ଚିବାକ୍ଷଣି କରଞ୍ଜିଆ ଗୋଲେଇ ଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦଳକୁ ସମ୍ବର୍ଦ୍ଧିତ କରା ଯାଇଥିଲା। ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବ୍ୟାଣ୍ଡ ପାର୍ଟି ପ୍ରଶିକ୍ଷକଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା। ସାଧାରଣ ଜନତାଙ୍କ ପକ୍ଷରୁ ବିଜେତା ଦଳ ର ସମସ୍ତ ଛାତ୍ରୀ ଙ୍କୁ ଫୁଲ ଦେଇ ସମ୍ବର୍ଦ୍ଧନା ଦେବା ସହିତ ମିଷ୍ଟାନ ବଣ୍ଟନ କରା ଯାଇଥିଲା। ପରେ ଛାତ୍ରୀ ମାନେ ତାଙ୍କ ବ୍ୟାଣ୍ଡ ପାର୍ଟିର ଝଲକ ପ୍ରଦର୍ଶନ କରି ଥିଲେ ।