ରାଉରକେଲା : ଅନ୍ତର୍ଜାତୀୟ ହକି ଖେଳରୁ ଅବସର ନେଲେ ଡିଫେଣ୍ଡର ଦୀପଗ୍ରେସ୍ ଏକ୍କା।। ଆଗାମୀ ଦିନରେ ଖେଳାଳି ମାନଙ୍କୁ ପ୍ରଶିକ୍ଷଣ ଦେବେ।
ସୁନ୍ଦରଗଡ଼ : ୨୮/୧ (ସତ୍ୟାନ୍ୟୁଜ) ଭାରତୀୟ ମହିଳା ହକି ଦଳ ର ଡିଫେଣ୍ଡର ଦୀପଗ୍ରେସ୍ ଏକ୍କା । ଗତ କାଲି ଆନ୍ତର୍ଜାତୀୟ ହକି ଖେଳରୁ ଅବସର ନେଇଛନ୍ତି ।
ବିଶେଷ କରି ୨୬୮ ଟି ଆନ୍ତର୍ଜତୀୟ ମ୍ୟାଚ ଖେଳି ୨୪ ଟି ଗୋଲ କରିଛନ୍ତି । ଖେଳରୁ ଅବସର ନେବା ପରେ ସେ ପରିବାରଙ୍କୁ ସମୟ ଦେବା ସହିତ ସୁଯୋଗ ମିଳିଲେ ଜୁନିଅର ଖେଳାଳୀ ମାନଙ୍କୁ ପ୍ରଶିକ୍ଷଣ ଦେବି କହିଛନ୍ତି ଦିପଗ୍ରେସ୍।
ଅନ୍ତର୍ଜାତୀୟ ହକିରୁ ଅବସର ନେଇ ସୋସିଆଲ ମିଡିଆରେ ସେ ସୂଚନା ଦେଇଛନ୍ତି । କହିଛନ୍ତି, ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ଯାତ୍ରା ତାଙ୍କ ଜୀବନର ସବୁଠାରୁ ଆକର୍ଷଣୀୟ ମୁହୂର୍ତ । ଆଉ ଦେଶର ପ୍ରତିନିଧିତ୍ୱ କରିବା ସବୁଠାରୁ ସମ୍ମାନର କଥା ବୋଲି ଦୀପଗ୍ରେସ୍ କହିଛନ୍ତି । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଲୁଲକିଡିହି ଗାଁ ରେ ରହୁଥିବା ଦୀପଗ୍ରେସ୍ ୨୦୧୩ରେ ଜର୍ମାନୀରେ ଆୟୋଜିତ ମହିଳା ଜୁନିୟର ହକି ବିଶ୍ୱକପରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଆଉ ଏହି ବିଶ୍ୱକପରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ଦୀପଗ୍ରେସ୍ ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲ । ଏହାବ୍ୟତୀତ ଦୀପଗ୍ରେସ ଏକ୍କା ୨୦୧୪ ଓ ୨୦୧୮ ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା ଭାରତୀୟ ମହିଳା ଦଳର ସଦସ୍ୟ ରହିଥିଲେ । ସେହିପରି ଦୀପଗ୍ରେସଙ୍କ ପ୍ରତିନିଧିତ୍ୱରେ ଭାରତ ୨୦୧୬ ଏସୀୟ ଚାମ୍ପିୟନ୍ସ ଟ୍ରଫି ଓ ୨୦୧୭ରେ ଏସୀୟ କପ୍ ରେ ଟାଇଟଲ୍ ଜିତିଥିଲା । ୨୦୧୬ରେ ଭାରତକୁ ରିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରାଇବାରେ ୨୯ ବର୍ଷୀୟ ଏହି ଖେଳାଳି ପ୍ରମୁଖ ଭୂମିକା ବହନ କରିଥିଲେ ।