ରାଉରକେଲା : ୨୫/୧ (ସତ୍ୟାନ୍ୟୁଜ) ଟିକସ ଫାଙ୍କି ରୋକିବାକୁ ସରକାର ଯେଉଁ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି ସେହି ଅଧିକାରୀ ନେଉଥିଲେ ଲାଞ୍ଚ। ସୂଚନା ପାଇ ମାଡି ବସିଲେ ସିବିଆଇ ଟିମ୍। ଲାଞ୍ଚ ନେବା ଅଭିଯୋଗରେ ରାଉରକେଲା ସିଭିଲ ଟାଉନଶିପ ସ୍ଥିତ କେନ୍ଦ୍ରୀୟ ଜିଏସଟି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଅମରକାନ୍ତ କୁଅଁରଙ୍କୁ ଅଟକ ରଖିଛି ସିବିଆଇ।
ମିଳିଥିବା ସୂଚନା ଅନୁଯାୟୀ ଜିଏସଟି କାର୍ଯ୍ୟାଳୟର ଅଧିକାରୀ ଅମରକାନ୍ତ ଜଣେ ଠିକାଦାରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଉକ୍ତ ଠିକାଦାରଙ୍କ ଟ୍ୟାକ୍ସ ଆସେସମେଣ୍ଟ କମ କରିଦେବା ପାଇଁ ଟଙ୍କା ନେଉଥିଲେ ଉକ୍ତ ଅଧିକାରୀ। ଟିକସ କମ କରିବାକୁ ଏକ ଲକ୍ଷ ଟଙ୍କା ଦାବି କରିଥିଲେ ଜିଏସଟି ଅଧିକାରୀ। ଏ ବାବଦରେ ଠିକାଦାର ଜଣକ ସିବିଆଇ କୁ ସୂଚନା ଦେଇଥିଲେ। ଗୁରୁବାର ଦିନ ଅମରକାନ୍ତ ଉକ୍ତ ଠିକାଦାରଙ୍କ ଠାରୁ ପ୍ରଥମ କିସ୍ତି ୩୦ ହଜାର ଟଙ୍କା ନେଉଥିଲେ। ଏହି ସମୟରେ ପୂର୍ବ ଯୋଜନା ଅନୁଯାୟୀ ସିବିଆଇ ଅଧିକାରୀ ମାନେ ଅମରକାନ୍ତଙ୍କୁ ଟଙ୍କା ନେଲାବେଳେ ମାଡି ବସିଥିଲେ। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।