ରାଉରକେଲା : ବେଦବ୍ୟାସ ବ୍ୟାସଦେବ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ।

0 373

ରାଉରକେଲା : ୨୧/୧୨ (ସତ୍ୟାନ୍ୟୁଜ): ସାଧନା ବିନା ସିଦ୍ଧି ନାହିଁ କି ପ୍ରରିଶ୍ରମ ବିନା ସଫଳତା ପ୍ରାପ୍ତି ଅସମ୍ଭବ l ଏ ବିଷୟରେ ବିଶିଷ୍ଟ ଶିକ୍ଷାବିତ୍ ମାନେ ବେଦବ୍ୟାସ ସ୍ଥିତ ବ୍ୟାସଦେବ ଉଚ୍ଚ ବିଦ୍ୟାଳୟରେ ଅୟୋଜିତ ୨୯ତମ ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ ମତ ପ୍ରକାଶ କରିଛନ୍ତି l
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଉଦ୍ଘାଟକ ଭାବେ ସ୍ଥାନୀୟ ସେଣ୍ଟ୍ରାଲ ବ୍ୟାଙ୍କ ଶାଖା ପ୍ରବନ୍ଧକ ଦେବଦତ୍ତ ମିଶ୍ର ପ୍ରଦୀପ ପ୍ରଜ୍ବଳନ ସହିତ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି କହିଲେ ଯେ, ଛାତ୍ରଛାତ୍ରୀମାନଙ୍କର ଯଥେଷ୍ଟ ଅନ୍ତର୍ନିହିତ ପ୍ରତିଭା ରହିଛି ଏବଂ ସେ ସବୁକୁ ବିକଶିତ କରିବାରେ ଶିକ୍ଷକଙ୍କର ଉଲ୍ଲେଖନୀୟ ଅବଦାନକୁ ଅସ୍ୱୀକାର କରାଯାଇ ପାରିବ ନାହିଁ l ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, କଲୁଙ୍ଗା ଏ ଡି ବି ର ଉପ- ଶାଖା ପରିଚାଳକ ମାନସ କୁମାର ସାହୁ କହିଲେ ଯେ, ଛାତ୍ରଛାତ୍ରୀ ମାନଙ୍କର ପୁରସ୍କାର ପାଇବା ମନୋରମ ଦୃଶ୍ୟ ଦେଖିଲେ ତାଙ୍କର ଛାତ୍ରାବସ୍ଥା ସ୍ମରଣକୁ ଆସିଯାଏ l ଏ ଭଳି ସୁଖଦ ମୁହୂର୍ତ୍ତରେ ପିଲାମାନେ ସଫଳତା ପାଇଁ ବଡ଼ ସ୍ଵପ୍ନ ଦେଖିବା ଆବଶ୍ୟକ l ସ୍ଵତନ୍ତ୍ର ଅତିଥି ଅନ୍ତର୍ଜାତୀୟ ଲାୟନ୍ସ କ୍ଲବର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର୍ ରାକେଶ କୁମାର ସିଂହ କହିଲେ ଯେ, ଛାତ୍ରଛାତ୍ରୀମାନେ ବରଂ ବଡ଼ ମଣିଷ ନ ହୋଇ ଭଲ ମଣିଷ ହେବାର ଲକ୍ଷ୍ୟ ପୂରଣ କରନ୍ତୁ l ମୁଖ୍ୟ ବକ୍ତା ବିଶିଷ୍ଟ ଶିକ୍ଷାବିତ୍ ପ୍ରମୋଦ କୁମାର ନାଟ୍ୟୁଲା ଛାତ୍ରଛାତ୍ରୀଙ୍କୁ ଶ୍ରମବିମୁଖ ନ ହୋଇ କର୍ମପ୍ରବଣ ହେବାକୁ ପରାମର୍ଶ ଦେଇଥିଲେ l
ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ ସ୍ଵାଗତ ଭାଷଣ ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ବକ୍ତା ଭାବେ ସାମାଜିକ କର୍ମୀ ବିବେକାନନ୍ଦ ଦାସ, ଶିକ୍ଷା ସଂଯୋଜକ ରମେଶ ଚନ୍ଦ୍ର ବାରିକ, ଲେଖକ ସତ୍ୟବ୍ରତ ଦାସ, ବେତାର ନାଟ୍ୟକାର ନିକୁଞ୍ଜ ବିହାରୀ ଦାଶ, ଶିକ୍ଷାବିତ୍ ସନତ୍ କୁମାର ପ୍ରଧାନ, ଇଞ୍ଜିନିୟର କିରଣ ପ୍ରସାଦ ମେହେର୍, ବାର୍ତ୍ତା ସମ୍ପାଦକ ଶରତ କୁମାର ଦାସ, ସଂଗ୍ରାମ କେଶରୀ ଭୂୟାଁ, କାମେଶ୍ଵର ଚୌଧୁରୀ, ଯୁଗଳ କିଶୋର ଶିଙ୍ଘି ଯୋଗ ଦେଇଥିଲେ l
କୃତୀ କ୍ରୀଡ଼ା ପ୍ରତିଯୋଗୀମାନଙ୍କୁ ମଞ୍ଚାସୀନ ଅତିଥିବୃନ୍ଦ ପ୍ରମାଣପତ୍ର ଓ ଟ୍ରଫି ସହ ପୁରସ୍କୃତ କରିଥିଲେ l ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଇଣ୍ଟରନ୍ୟାସନାଲ ଲାୟନ୍ସ କ୍ଲବର ଜିଲ୍ଲା ଗଭର୍ଣ୍ଣର୍ ପ୍ରବୀଣ କୁମାର ଅଗ୍ରୱାଲ ଯୋଗ ଦେଇ କହିଲେ ଯେ,
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଖେଳୁଆଡ଼ ମନୋଭାବ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଉତ୍ସାହ ବୃଦ୍ଧି କରିବା ସହ ପ୍ରେରଣା ଆଣିଦେବ l ମୁଖ୍ୟ ବକ୍ତା ବିଶିଷ୍ଟ ଯୁବ ସାମାଜିକ କର୍ମୀ ପ୍ରକାଶ ଚନ୍ଦ୍ର ଧଳ କହିଲେ ଯେ, ଶୃଙ୍ଖଳା, ଅନୁଶାସନ ଓ ଏକାଗ୍ରତା ବଳରେ ଛାତ୍ରଛାତ୍ରୀମାନେ ଗୌରବମୟ ଜୀବନ ଗଠନ କରି ପାରିବେ l ସମ୍ମାନିତ ଅତିଥି ଫିରୋଜ ଅହମ୍ମଦ କହିଲେ ଯେ, କର୍ମ ନିଷ୍ଠା ଓ ସଚେତନତା ମଧ୍ୟ ବିଦ୍ୟାର୍ଥୀମାନଙ୍କୁ ସଫଳତାର ଶୀର୍ଷରେ ଉପନୀତ କରାଇ ପାରିବ l କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ସୁଶାନ୍ତ କୁମାର ପାଢ଼ୀ, ଉମେଶ ଚନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ସାହୁ, ମଞ୍ଜୁବାଳା ତ୍ରିପାଠୀ, ସୁପ୍ରିୟା ମହାରଣା, ସୀତା ନାଗ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ଶିକ୍ଷକ ଗିରୀଶ ଚନ୍ଦ୍ର ପଣ୍ଡା ମଂଚ ପରିଚାଳନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ଶଶଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା l

Leave A Reply

Your email address will not be published.