ରାଉରକେଲା : ୨/୧୨ (ସତ୍ୟାନ୍ୟୁଜ) ଶନିବାର ଦିନ ଏକ ଅତି ଦୁଃଖଦ ଘଟଣାରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର କୋଏଲ ନଦୀରେ ବୁଡି ପ୍ରାଣ ହରାଇଥିବା ବେଳେ ଆଉଜଣେ ଛାତ୍ର ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ମୃତ ଛାତ୍ର ପ୍ରିୟଂଶୁ ଭୋଳ ଙ୍କ ମୃତ ଦେହ ନଦୀରୁ ଉଦ୍ଧାର କରିଥିବା ବେଳେ ନିଖୋଜ ଛାତ୍ର ପ୍ରିୟରଞ୍ଜନ ପାଢ଼ୀଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରି ନାହିଁ। ରାତି ହେବାରୁ ଉଦ୍ଧାର କାମ ବନ୍ଦ ରହିଛି। ଆସନ୍ତାକାଲି ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ।
ମିଳିଥିବା ସୂଚନା ଅନୁଯାୟୀ ଶନିବାର ଦିନ ରାଉରକେଲା ଡି ଏ ଭି ପବ୍ଲିକ ସ୍କୁଲର ଅଷ୍ଟମ ଏବଂ ନବମ ଶ୍ରେଣୀରେ ପଢ଼ୁଥିବା ଚାରିଜଣ ସାଙ୍ଗ ଗାଧୋଇବାକୁ ପ୍ରଧାନପାଲି ନିକଟ କୋଏଲ ନଦୀକୁ ଯାଇଥିଲେ। ଦୁଇଜଣ ଛାତ୍ର ନଦୀରେ ଗାଧୋଉଥିବା ବେଳେ ଅନ୍ୟ ଦୁଇଜଣ ନଦୀ କୂଳରେ ବସିଥିଲେ। ହଠାତ ଦୁଇ ଜଣ ସାଙ୍ଗ ବୁଡି ଯାଉଥିବା ଦେଖି କୂଳରେ ବସିଥିବା ସାଙ୍ଗ ଦ୍ୱୟ ପାଟି କରିଥିଲେ। ସ୍ଥାନୀୟ ଲୋକମାନେ ଛାତ୍ର ଦୁଇଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ଆସନ୍ତାକାଲି ଉଦ୍ଧାର କାର୍ଯ୍ୟ ହେବ।