୧୬ ଦଫା ଦାବି ନେଇ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଥିବା ବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ସକାଳ ଛଅ ଟା ରୁ ସନ୍ଧ୍ୟା ଛଅ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ସମଗ୍ର ମୟୁରଭଞ୍ଜ ରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ଆଜି ସକାଳୁ ବିଜେପି କର୍ମୀ ମାନେ ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ ଏବଂ ୪୯ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିବା ସହ ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି । ଫଳରେ ଜାତୀୟ ରାଜପଥ ରେ ଯାନ ବାହାନ ଚଳା ଚଳ ପ୍ରଭାବିତ ହୋଇଛି । ବାରିପଦା , ଉଦଳା ,କରଂଜିଆ ସମେତ ରାଇରଙ୍ଗପୁର ସବ୍ ଡିଭିଜନ ରେ ମଧ୍ୟ ବନ୍ଦ ର ପ୍ରଭାବ ପଡିଛି। ଅତ୍ୟାବଶ୍ୟକୀୟ ସେବାକୁ ଛାଡିଦେଲେ ଦୋକାନ ବଜାର , ପେଟ୍ରୋଲ ପମ୍ପ ଆଦି ବନ୍ଦ ରହିଛି ।
ବିଜେପି ର ୧୬ ଦଫା ଦାବି ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ବିଜେଡି କର୍ମୀ ଙ୍କୁ ଗିରଫ କରିବା ମୁଖ୍ୟ ଦାବି ରହିଛି। ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ମୟୁରଭଞ୍ଜ ଗସ୍ତ କରି ଦେଇଥିବା ପ୍ରତିଶୃତି କୁ ପାଳନ, ଏବଂ ମମିତା ମେହେର ହତ୍ୟାକାଣ୍ଡ ରେ ମନ୍ତ୍ରୀ ଦିବ୍ୟଶଂକର ଙ୍କ ସଂପୃକ୍ତି ଅଭିଯୋଗ ରେ ତାଙ୍କୁ ଗିରଫ କରାଯିବା ଦାବି ମଧ୍ୟ ରହିଛି । ଏହାଛଡା କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କ ଅସମ୍ମାନ ଅଭିଯୋଗ କରି ଏହାର ପ୍ରତିବାଦ ମଧ୍ୟ କରାଯାଇଛି ।