ସୁନ୍ଦରଗଡ଼ : ୨୧/୧୧ (ସତ୍ୟାନ୍ୟୁଜ) : ସ୍ଥାନୀୟ ସଦଭାବନା ଭବନ ଠାରେ ଆଜି ଜିଲ୍ଲା ସ୍ତରୀୟ ବିଶ୍ଵ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଅରୁଣ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ଆୟୋଜନ ର ଉଦ୍ଦେଶ୍ୟ ସଂପର୍କରେ କହିଥିଲେ।
ଏହି ଅବସର ରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ ଯୋଗ ଦେଇ ଜିଲ୍ଳା ରେ କିଭଳି ଅଧିକ ରୁ ଅଧିକ ମତ୍ସ୍ୟ ଚାଷୀ ସୃଷ୍ଟି ହେବେ ସେନେଇ ଆଲୋଚନା କରିଥିଲେ । ସେହିଭଳି ମହିଳା ଚାଷୀ ମାନେ ମଧ୍ୟ ମାଛ ଚାଷ ପ୍ରତି ସମାନ ଭାବେ ଆଗଭର ହେବା ଆବଶ୍ୟକ ଯାହାକି ତାଙ୍କ ପରିବାର ର ଆର୍ଥିକ ଅଭିବୃଦ୍ଧି ରେ ସହାୟକ ହୋଇ ପାରିବେ ବୋଲି କହିଥିଲେ। ସେହିଭଳି ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା. ବସନ୍ତ କୁମାର ଧଳ ମାଛ ଚାଷ ସହିତ ସମନ୍ୱିତ କୃଷି ଉପରେ ଗୁରୁତ୍ୱାରୋପ କରିଥିଲେ। ଚାଷୀ ମାନେ ମାଛ ଚାଷ ସହିତ ଏକା ସହିତ ବତକ ଚାଷ, କୁକୁଡ଼ା ଚାଷ , ପନିପରିବା ଚାଷ ଫୁଲ ଚାଷ ଆଦି କରି ଲାଭାନ୍ଵିତ ହୋଇ ପାରିବେ ବୋଲି ସେ ମତ ବ୍ୟକ୍ତ କରିଥିଲେ। ସେହିଭଳି ଏଲ୍. ଡି. ଏମ ଶ୍ରୀ ଗଗନ ଭୋଳ ମାଛ ଚାଷ ତଥା ଅନ୍ୟାନ୍ୟ ସମନ୍ୱିତ ଚାଷ ପାଇଁ ବ୍ୟାଙ୍କ ପକ୍ଷରୁ ଥିବା ବିଭିନ୍ନ ସୁବିଧା ସୁଯୋଗ ଯଥା ଋଣ, ସବସିଡି ଆଦି ଉପରେ ଆଲୋକପାତ କରିଥିଲେ ଏବଂ ଚାଷୀ ମାନେ ତାଙ୍କ ନିମନ୍ତେ ପ୍ରଯୁଜ୍ୟ ଏହି ସବୁ ସୁବିଧା ସୁଯୋଗ ର ଲାଭ ନେବା ପାଇଁ କହିଥିଲେ। କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଶ୍ରୀ ଡେଭିଡ ବାଗେ ଚାଷ ନିମନ୍ତେ ଥିବା ବୈଷୟିକ ଜ୍ଞାନ ଉପରେ ଆଲୋଚନା କରିଥିଲେ। କିଭଳି ଚାଷୀ ମାନେ ନିଜ ଚାଷ କ୍ଷେତ୍ର ରେ ପ୍ରଯୁକ୍ତି ବିଦ୍ୟା ର ପ୍ରୟୋଗ କରି ଅଧିକ ରୁ ଅଧିକ ଲାଭବାନ ହୋଇ ପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସର ରେ ଜିଲ୍ଲା ରେ ସଫଳ କେତେ ଜଣ ମତ୍ସ୍ୟ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ୟାଙ୍କ ମାଧ୍ୟମରେ ମାଛ ଚାଷ କରିଥିବା ସଦର ବ୍ଲକ୍ ଅନ୍ତର୍ଗତ
ଲଙ୍କାହୁଡ଼ା ଗ୍ରାମ ପଞ୍ଚାୟତ ର ଶ୍ରୀ ପ୍ରଫୁଲ୍ଲ ପଟେଲ, ବାୟୋଫ୍ଲକ୍ ପ୍ରଣାଳୀ ରେ ମାଛ ଚାଷ କରିଥିବା ନୂଆଗାଁ ବ୍ଲକ ର ପୁରୁଣାପାଣି ଗ୍ରାମପଞ୍ଚାୟତ ର ଶ୍ରୀ ବିଜୟ ଗଞ୍ଜୁ ଏବଂ ବଡ଼ଗାଁ ବ୍ଲକ ର ରୁନଗାଁ ଗ୍ରାମପଞ୍ଚାୟତ ର ପଦ୍ମାଳୟା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମ ରେ ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକା ଶ୍ରୀ ଅରୁଣ ଆଚାର୍ଯ୍ୟ, ଉପ ନିର୍ଦ୍ଦେଶକ, ଉଦ୍ୟାନ ଶ୍ରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସମସ୍ତ ବ୍ଲକ୍ ର ମତ୍ସ୍ୟ ଅଧିକାରୀ, କୃଷି ଅଧିକାରୀ, ମତ୍ସ୍ୟ ଚାଷୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ଥିଲେ।