ରାଉରକେଲା : ଖୁବ ଶୀଘ୍ର ଉଦଘାଟିତ ହେବାକୁ ଯାଉଛି ସହରର ସାଇନ୍ସ ପାର୍କ।। ଏହି ପାର୍କ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବା ନେଇ ଆଶା।
ରାଉରକେଲା : ୧୧/୧୧ (ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ ସହରର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାକୁ ଯାଉଛି ସାଇନ୍ସ ପାର୍କ ଏବଂ ପ୍ଳାନେଟରିଅମ। ସାଇନ୍ସ ପାର୍କର କାମ ପ୍ରାୟ ସରି ଆସି ଥିବା ବେଳେ ପ୍ଳାନେଟରିଅମ କାମ ସରିବାକୁ ଆଉ ୩ ରୁ ୪ ମାସ ଲାଗିବ ବୋଲି ସୂଚନା ମିଳିଛି। ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ହେଉଥିବା ସାଇନ୍ସ ପାର୍କ ୨୦୨୧ ମସିହା ଏପ୍ରିଲ ମାସରେ ଆରମ୍ଭ ହୋଇଥିଲା। ୨୦୨୨ ଜୁଲାଇ ମାସରେ ଏହା ସମ୍ପୂର୍ଣ୍ଣ ହେବାର ଥିଲା। ମାତ୍ର ପାର୍କ ନିର୍ମାଣରେ ବର୍ଷେ ବିଳମ୍ବ ହୋଇ ଗଲାଣି। ପାର୍କ ମଧ୍ୟରେ ଏକ ସୁନ୍ଦର ପୋଖରୀ ରହିଛି। ଏହାସହ ଜୁରାସିକ୍ ପାର୍କ , ବିଭିନ୍ନ ପ୍ରକାର ବିଜ୍ଞାନ ଉପକରଣ ଆଦି ପାର୍କରେ ରହିଛି। ଚଳିତ ମାସ କାମ ସରିଯିବ ବୋଲି କୁହାଯାଉଛି। ଏହି ପାର୍କ ସହରର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସହ ଶିକ୍ଷଣୀୟ ସ୍ଥାନ ହେବ ବୋଲି ରାଉରକେଲା ଏଡିଏମ ଡକ୍ତର ଶୁଭଙ୍କର ମହାପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ରାଉରକେଲାରେ
ଏନ୍ଆଇଟି , ବିପିୟୁଟି ପରି ଶିକ୍ଷାନୁଷ୍ଠାନ ରହିଛି। ଏବେକାର ସମୟରେ ସାଧାରଣ ଜୀବନ ଯାପନ ଉପରେ ମଧ୍ୟ ବିଜ୍ଞାନର ପ୍ରଭାବ ରହିଛି। ସାଇନ୍ସ ପାର୍କ ପ୍ରତିଷ୍ଠା ହେବା ଦ୍ୱାରା ଉଭୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମହଲ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି।
ରାଜ୍ୟ ସରକାରଙ୍କ ସାଇନ୍ସ ଏବଂ ଟେକ୍ନୋଲୋଜି ବିଭାଗ ପକ୍ଷରୁ ଏହି ପ୍ରକଳ୍ପ କରାଯାଉଥିବା ବେଳେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ଼ ଏହାର ଦାଇତ୍ୱ ନେଇଛି। ସହରର ଛେଣ୍ଡ କଲୋନୀରେ ନିର୍ମିତ ଏହି ସାଇନ୍ସ ପାର୍କ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ଆଶା କରା ଯାଉଛି।